ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଆଜି ଭୋର ପ୍ରାୟ ୨ଟା ୫୫ ମିନିଟ୍‌ରେ GSLV-F17 ରକେଟ୍ ମାଧ୍ୟମରେ EOS-05 ଉପଗ୍ରହକୁ ସଫଳତାର ସହ ମହାକାଶକୁ ପଠାଯାଇଛି।

ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନଙ୍କ ସୂଚନା ଅନୁଯାୟୀ, ‘ଆଡଭାନ୍ସଡ୍ ଅର୍ଥ ଅବଜରଭେସନ୍ ସାଟେଲାଇଟ୍-୦୫’ ବା ଜିଓ-ଇମେଜିଂ ସାଟେଲାଇଟ୍‌କୁ ପ୍ରାୟ ୩,୬୦୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଛି। ଏହା GSLV ରକେଟ୍‌ର ୧୯ତମ ସଫଳ ଉଡ଼ାଣ ବୋଲି ଜଣାପଡ଼ିଛି। ଏହି ଉପଗ୍ରହ ଭାରତର ସମଗ୍ର ଭୂଭାଗ ଉପରେ ନଜର ରଖିବା ସହ ପ୍ରତି ୩୦ ମିନିଟ୍‌ରେ ଭାରତୀୟ ଅଞ୍ଚଳର ଚିତ୍ର ଉତ୍ତୋଳନ କରିପାରିବ । ଏହାଦ୍ୱାରା ସୀମା ଅଞ୍ଚଳର ଗତିବିଧି ଉପରେ ମଧ୍ୟ ନଜର ରଖିବା ସମ୍ଭବ ହେବ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ମିଶନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ପ୍ରାୟ ୨,୩୬୭ କିଲୋଗ୍ରାମ ଓଜନର ଏହି ଉପଗ୍ରହରେ ୭୦୦ ମିଲିମିଟରର ଏକ ଟେଲିସ୍କୋପ୍ ରହିଛି। ଏହା ଭିଜିବଲ୍, ନିୟର୍-ଇନ୍‌ଫ୍ରାରେଡ୍ ଏବଂ ସର୍ଟ-ୱେଭ୍ ଇନ୍‌ଫ୍ରାରେଡ୍ ବ୍ୟାଣ୍ଡରେ ଚିତ୍ର ଓ ତଥ୍ୟ ସଂଗ୍ରହ କରିବ। କେବଳ ଜାତୀୟ ସୁରକ୍ଷା ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମଧ୍ୟ ଏହି ଉପଗ୍ରହ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ। ବନ୍ୟା, ବାତ୍ୟା ଓ ଜଙ୍ଗଲ ନିଆଁ ଭଳି ଘଟଣା ସମ୍ପର୍କରେ ଶୀଘ୍ର ତଥ୍ୟ ମିଳିବ। ଏଥିସହ ଫସଲର ସ୍ଥିତି, ମାଟିର ଆର୍ଦ୍ରତା ଆଦିର ଆକଳନ କରିବାରେ ମଧ୍ୟ ଏହା ସହାୟକ ହେବ।

GSLV-F17 ଏକ ତିନି-ସ୍ତରୀୟ ରକେଟ୍। ଏହାର ଉଚ୍ଚତା ପ୍ରାୟ ୫୧.୭ ମିଟର ଏବଂ ଉତ୍‌କ୍ଷେପଣ ସମୟରେ ଓଜନ ପ୍ରାୟ ୪୨୦.୫ ଟନ୍। ଏହାର ତୃତୀୟ ସ୍ତରରେ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ GSLV-F10/EOS-03 ମିଶନ୍ ବିଫଳ ହୋଇଥିଲା। ଉଡ଼ାଣର ୩୦୭ତମ ସେକେଣ୍ଡରେ ଅନ୍‌ବୋର୍ଡ କମ୍ପ୍ୟୁଟର ମିଶନ୍‌କୁ ବନ୍ଦ କରିଦେଇଥିଲା। କ୍ରାୟୋଜେନିକ୍ ଅପର୍ ଷ୍ଟେଜ୍‌ରେ ତ୍ରୁଟି ଯୋଗୁଁ ସେହି ମିଶନ୍ ବିଫଳ ହୋଇଥିଲା। ଏବେ GSLV-F17/EOS-05 ମିଶନ୍ ସଫଳ ହେବା ସହ ଇସ୍ରୋର କ୍ଷମତା ଓ ପ୍ରଯୁକ୍ତି ଉପରେ ଆଉ ଏକ ବଡ଼ ମୋହର ଲାଗିଛି।

ଏହି ମିଶନ୍ ମାଧ୍ୟମରେ ଭାରତର ଅନ୍ତରୀକ୍ଷ ନିରୀକ୍ଷଣ କ୍ଷମତା ଆହୁରି ମଜବୁତ ହେବା ସହ ଦେଶର ସୁରକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଭୂ-ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ନୂଆ ଦିଗ ଖୋଲିବ।

 

Dharitri – Odisha’s No.1 Odia Daily

Share