‘ମିଶନ ପୂର୍ବୋଦୟ’ରେ ବଡ଼ ପଦକ୍ଷେପ’

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଉଜ୍ଜ୍ୱଳା ଯୋଜନା ଦ୍ୱାରା ଗରିବଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସିଛି, ବିଶେଷଭାବେ ଏହା କରୋନା ସମୟରେ ଜଣାପଡିଛି। ଏହି ଯୋଜନାରେ ଦେଶର ୮ କୋଟି ଗରିବ ପରିବାରଙ୍କ ପାଖରେ ଗ୍ୟାସ ପହଞ୍ଚିଥିବା ବେଳେ କରୋନା ସମୟରେ ଦେଶରେ ଗ୍ୟାସ ଯୋଗାଣକୁ ସୁନଶ୍ଚିତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ସାହାଯ୍ୟରେ ବିହାରରେ ପେଟ୍ରୋଲିୟମ କ୍ଷେତ୍ରର ତିନୋଟି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ମୋଦି କହିଛନ୍ତି, ଲୋକାର୍ପିତ ହୋଇଯାଇଥିବା ପ୍ରକଳ୍ପଗୁଡିକ ହେଲା ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ବିହାରର ବାଙ୍କା ଏବଂ ଚମ୍ପାରନଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ହେବ। ଏହି ସମାରୋହରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିବା ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ଦୁର୍ଗାପୁର ବାଙ୍କା ସେକ୍ସନ ଓ ଅନ୍ୟାନ୍ୟ ପ୍ରକଳ୍ପ ‘ମିଶନ ପୂର୍ବୋଦୟ’ରେ ବଡ଼ ପଦକ୍ଷେପ। ଏହି ପାଇପଲାଇନ ପ୍ରକଳ୍ପର ନିର୍ମାଣ ଏବଂ ସମ୍ପ୍ରସାରଣ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେହିପରି ଇଣ୍ଡିଆନ ଅଏଲର ବାଙ୍କା ସ୍ଥିତ ଏଲପିଜି ବଟଲିଂ ପ୍ଲାଣ୍ଟ ବାର୍ଷିକ ୮୫ ଲକ୍ଷ ଗ୍ୟାସ ସିଲିଣ୍ଡର ଉପତ୍ାଦନ ସହ ବିହାରରେ ନିଯୁକ୍ତି ସୃଷ୍ଟି କରିବ। ସେହିପରି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ଏଚ୍‌ପିସିଏଲ)ର ଚମ୍ପାରନଠାରେ ବାର୍ଷିକ ଲକ୍ଷେ ୨୦ ହଜାର କ୍ଷମତା ବିଶିଷ୍ଟ ଏଲପିଜି ବଟଲିଂ ପ୍ଲାଣ୍ଟ ବିହାରବାସୀଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେବ। ପ୍ରଧାନମନ୍ତ୍ରୀ ୩ ବର୍ଷ ପୂର୍ବେ ଲାଲକିଲ୍ଲାରୁ ‘ମିଶନ ପୂର୍ବୋଦୟ’ ଆରମ୍ଭ କରିଥିଲେ।