ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରିରେ ଜମି ବିବାଦ ଦେଖା ଦେଇଛି। ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ୩୬ ପ୍ଲଟର ୨୪ ଏକର ୪୬୦ ଡିସିମିଲ ସରକାରୀ ଜମି ଦଖଲକୁ ନେଇ ସାମନ୍ତରାପୁର, ବତାଗଡ ଏବଂ ପୋଡ଼ାମାରି ଗ୍ରାମର କିଛି ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଲାଗିର ହିଛି। ଶନିବାର ବିବାଦୀୟ ଜମିରେ ଉଭୟ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ। ଗୋଷ୍ଠୀ ସଂଘର୍ଷ ଆଶଙ୍କା ଥିବା ଖବରପାଇ ପାଟପୁର ଥାନା ଏସଆଇ ଶ୍ରୀନିବାସ ଦାସ ସଦଳବଳେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା। ଉଭୟପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା, ଆସିକା ଏସଡିପିଓ ସନ୍ତୋଷ ଜେନା, ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ ୧ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ବିବାଦୀୟ ଜମିରେ ବିଏନଏସଏସ ର ୧୬୩(୨) ଧାରା ଜାରି କରାଯିବା ନିମନ୍ତେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ପୋଲିସ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଶନିବାର ସନ୍ଧ୍ୟାରେ ଆବେଦନ କରିଥିଲେ। ରବିବାର ପୂର୍ବାହ୍ନରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର, ପାଟପୁର ଥାନା ଭାରପ୍ରାପ୍ତ ଆଇଆଇସି ତଥା ଏସଆଇ ଶୁଭଲକ୍ଷ୍ମୀ କହଁର, ଏସଆଇ ଶ୍ରୀନିବାସ ଦାସ, ରାଜସ୍ବ ନୀରିକ୍ଷକ ଏମ.ସୁଦାମ ପୋଲିସ ଫୋର୍ସ ସହ ସାମନ୍ତରାପୁର, ପୋଡ଼ାମାରି ଗ୍ରାମର ଢ଼ିମିରା ସାହି ଏବଂ ବତାଗଡ ଗାଁ ରେ ପହଞ୍ଚି ଉକ୍ତ ବିବାଦୀୟ ଜମିରେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ବିବିଧ ମାମଲା(ଏମ.ସି) ନଂ.୩୯/୨୫ ଅନୁଯାୟୀ ବିଏନଏସଏସର ୧୬୩(୨) ଧାରାରେ ନିଷେଧାଦେଶ ଜାରି କରାଯାଇଥିବା ଘୋଷଣା କରିଥିବା ବେଳେ ବିବାଦୀୟ ଜମିରେ ରାଜସ୍ବ ବିଭାଗ ପକ୍ଷରୁ ନାଲି ପତାକା ପୋତା ଯାଇଛି।


