ନୂଆଦିଲ୍ଲୀ,୮।୬: ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍କା। ସବ୍ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବ୍ସିଡି ସିଲିଣ୍ଡର ମିଳୁଥିଲା। ଗତବର୍ଷ ଏହା ୯କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର।
ରିପୋର୍ଟ ଅନୁଯାୟୀ, ଜଣେ ସରକାରୀ ଅଧିକାରୀ ସୋମବାର ଦିନ କହିଛନ୍ତି ଯେ ଘରୋଇ ବ୍ୟବହାରର ହାରାହାରିକୁ ଆଖି ଆଗରେ ରଖି ଏହି ପରିବର୍ତ୍ତନ କରାଯାଇଛି। ୨୦୧୬ ବର୍ଷରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀଙ୍କୁ ବର୍ଷକୁ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ସବ୍ସିଡିରେ ମିଳୁଥିଲା। ତେବେ ଗତ ବର୍ଷ ସବ୍ସିଡିଯୁକ୍ତ ସିଲିଣ୍ଡର ସଂଖ୍ୟା ହ୍ରାସ କରାଯାଇ ୯ କରାଯାଇଥିଲା, ଯାହାକୁ ଏବେ ଆହୁରି କମାଇ ୪ କରିଦିଆଯାଇଛି।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୁଜା କହିଛନ୍ତି ଯେ, ଏହି ସଂଶୋଧିତ ସୀମା ଉଜ୍ଜ୍ୱଳା ହିତାଧିକାରୀଙ୍କ ହାରାହାରି ବାର୍ଷିକ ଗ୍ୟାସ ବ୍ୟବହାରର ପାଖାପାଖି ଅଟେ। ସେ କହିଛନ୍ତି ଯେ ହିତାଧିକାରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସହାୟତା ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ।