ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି ରହିଥିବା କଥା ବିଭାଗ ସ୍ବୀକାର କରି ସଂଶୋଧିତ ତାଲିକା ପ୍ରକାଶ କରିଥିଲା। ହେଲେ ସେହି ସଂଶୋଧିତ ତାଲିକାରେ ବି ଭୁଲ୍ ବାହାରୁଛି। ଏହି ଭୁଲ୍ ସଂଖ୍ୟା ବଢ଼ୁଥିବାରୁ ଦେଶର ଭବିଷ୍ୟତ ଗଢ଼ୁଥିବା ଏହି ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କ ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶ୍ରେଣୀ ‘ଗଣିତ ପ୍ରକାଶ’ ବହିର ୨୫ ନମ୍ବର ପୃଷ୍ଠାରେ ଏକ ଏକ୍ସପୋନେନ୍ସିଆଲ ଫଙ୍କସନ୍ ଗଣିତ ରହିଛି। ma X ma=(m)2a ବଦଳରେ ଭୁଲ୍ ଭାବେ ma X ma=(mn)a ଲେଖାଯାଇଛି। ସେହିଭଳି ଏବେ ଅଷ୍ଟମ ଶ୍ରେଣୀ ‘କୌଶଳ ବୋଧ (ବୃତ୍ତିଗତ ଶିକ୍ଷା)’ ବହିର ସଂଶୋଧିତ ତାଲିକାରେ ବି ତ୍ରୁଟି ବାହାରିଛି। ୭ ନମ୍ବର ପୃଷ୍ଠାର ୧୪ନମ୍ବର ଲାଇନ୍ରେ ପିଏଚ୍କୁ ଭୁଲ୍ ଭାବେ ଦର୍ଶାଯାଇଛି। ସଂଶୋଧିତ ପୁସ୍ତକରେ (PH) ଲେଖା ରହିଥିବାବେଳେ ପ୍ରକୃତରେ (PH) ହେବ। ଷଷ୍ଠ ଶ୍ରେଣୀର ‘କଳାକୁଞ୍ଜ ବହି’ରେ ୫୯ ନମ୍ବର ପୃଷ୍ଠାରେ ‘କୃତିତ୍ତ୍ୱ’ ରହିଛି। ଏହାକୁ ଶିକ୍ଷାବିତ୍ମାନେ ତ୍ରୁଟି ବୋଲି ଦର୍ଶାଇଛନ୍ତି। ଏହାକୁ ସଂଶୋଧନ କରିବାକୁ ଯାଇ ‘କୃତୀତ୍ତ୍ୱ’ ଉଲ୍ଲେଖ କରାଯାଇଛି, ଯାହା ମଧ୍ୟ ଭୁଲ୍। ଏହା ପ୍ରକୃତରେ ‘କୃତିତ୍ୱ’ ହେବ। ସେହିପରି ଅଷ୍ଟମ ଶ୍ରେଣୀ ‘ବୋଧ ବହି’ର ୧୩୭ ପୃଷ୍ଠାରେ ବାଣିଜି୍ୟକ ରହିଥିଲା। ଏହା ଠିକ୍ ହୋଇଥିଲେ ମଧ୍ୟ ସଂଶୋଧିତ ତାଲିକାରେ ଭୁଲ୍ ଭାବେ ‘ବାଣିଜିକ’ ବୋଲି ଉଲ୍ଲେଖ ରହିଛି। ସଂଶୋଧିତ ତାଲିକାରେ ଏଭଳି ଅନେକ ଭୁଲ୍କୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।