ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ଅଭିନୟ କରୁଛନ୍ତି।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ଶୁଟିଂ ସମୟରେ ଅମିତାଭ ବଚ୍ଚନ ଆକ୍ସନ ସୁଟ କରିବା ସମୟରେ ଆହତ ହୋଇଛନ୍ତି। ତାଙ୍କର ରିବ କାର୍ଟିଲେଜରେ ଆଘାତ ଲାଗିଛି। ଛାତିର ଡାହାଣ ପଟର ମାଂସପେଶୀରେ ଆଘାତ ହୋଇଥିବା କୁହାଯାଇଛି। ଏହା ପରେ ଫିଲ୍ମର ଶୁଟିଂ ବାତିଲ କରାଯାଇଛି। ଶୁଟିଂ ସେଟର ସଦସ୍ୟମାନେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ବିଗ ବିଙ୍କର ସିଟି ସ୍କାନ କରାଯାଇଛି। ବର୍ତ୍ତମାନ ସେ ଘରକୁ ଫେରିଛନ୍ତି ।

ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଲେଖିଛନ୍ତି, ନିଃଶ୍ୱାସ ନେବାରେ କିଛି କଷ୍ଟ ଅନୁଭବ ହେଉଛି। ସେଥିପାଇଁ ଶୁଟିଂ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ମୋବାଇଲରେ ଉପଲବ୍ଧ ହେବେ। ତାଙ୍କୁ ସମ୍ପୂର୍ଣ୍ଣ ବେଡ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ସନ୍ଧ୍ୟାରେ ତାଙ୍କ ବାସଭବନ ଜଲସା ବାହାରେ ପ୍ରଶଂସକଙ୍କୁ ଦେଖାଦେବା କଷ୍ଟକର ହେବ ଏବଂ ତାଙ୍କ ବଙ୍ଗଳାକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି। ପ୍ରତି ରବିବାର, ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ଜଲସା ବାହାରେ ଭିଡ କରିଥାନ୍ତି। ସୁପରଷ୍ଟାର ତାଙ୍କ ପ୍ରଶଂସକମାନଙ୍କୁ ଅଭିବାଦନ କରିଥାନ୍ତି।

ଗତ ବର୍ଷ ଅମିତାଭ ବଚ୍ଚନ ମଧ୍ୟ କେବିସି ସେଟରେ ଆହତ ହୋଇଥିଲେ, ପରେ ସେଟରେ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଯାହା ପରେ ସେ ବ୍ଲଗରେ ସୂଚନା ଦେଇଥିଲେ ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ଶୀଘ୍ର କାମକୁ ଫେରିବେ।

 

 

Share