ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ବର୍ତ୍ତମାନ କେନ୍ଦ୍ରୀୟ ବେସାମରିକ ସେବା (ପେନସନ) ନିୟମାବଳୀ, ୨୦୨୧ ସହ ସାମଞ୍ଜସ୍ୟ ରକ୍ଷା କରାଯାଇ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ କରାଯାଇଛି।

ସରକାରୀ କର୍ମଚାରୀଙ୍କ ସେବାକାଳରେ ଆରମ୍ଭ ହୋଇ ଅବସର ପରେ ମଧ୍ୟ ଜାରି ରହିଥିବା କିମ୍ବା ଅବସର ପରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପେନସନ ଏବଂ/କିମ୍ବା ଗ୍ରାଚୁଇଟିକୁ ଅଟକାଇ ରଖିବା କିମ୍ବା ପ୍ରତ୍ୟାହାର କରିବା ସମ୍ପର୍କରେ ସରକାରଙ୍କ ଅଧିକାରକୁ ସ୍ପଷ୍ଟ କରାଯିବ। ପେନସନ ମଞ୍ଜୁରି ପ୍ରକ୍ରିୟା ନିର୍ଦ୍ଧାରିତ ସମୟଠାରୁ ଏକ ବର୍ଷରୁ ଅଧିକ ବିଳମ୍ବ ହେଲେ ଏବଂ ଏହି ବିଳମ୍ବ ପ୍ରଶାସନିକ ତ୍ରୁଟି କାରଣରୁ ଘଟିଥିଲେ, ତେବେ ଏକ ବର୍ଷ ପରବର୍ତ୍ତୀ ବିଳମ୍ବ ଅବଧି ପାଇଁ ପେନସନର ବକେୟା ରାଶି ଉପରେ ବାର୍ଷିକ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ।

Dharitri – Odisha’s No.1 Odia Daily

Share