ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା ବିଦାନୋଭଙ୍କ ଭିସେରା

ରାୟଗଡ଼ା, ୭।୧(ସ୍ବ.ପ୍ର.): ରାୟଗଡ଼ା ସହରର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରଥମ ମୃତକ ଭ୍ଲାଡିମିର ବିଦାନୋଭଙ୍କ ଭିସେରା ସଂଗ୍ରହକରି ପରୀକ୍ଷଣ ପାଇଁ ଭୁବନେଶ୍ୱର ପଠାଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନ୍‌ସିକ ଲାବ୍‌ରେ ଉକ୍ତ ଭିସେରା ପରୀକ୍ଷା କରାଯିବ। ତେବେ ଦ୍ୱିତୀୟ ମୃତକ ତଥା ରୁଷୀୟ ଏମ୍‌ପି ଆଣ୍ଟୋଭ ପାଭେଲଙ୍କ ଭିସେରା ସଂରକ୍ଷଣ ହୋଇନାହିଁ। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଶୁକ୍ରବାର ମଧ୍ୟ ୨ଭାଗରେ ବିଭକ୍ତ ହୋଇ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଦନ୍ତ କରିଛନ୍ତି। ଡିଏସ୍‌ପି ତପନ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଭିସେରା ଗ୍ରହଣକରି ପଠାଇଥିଲେ। ସେହିଭଳି ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଥିବା ଟିମ୍‌ ଗୁପ୍ତ ଭାବରେ କେଉଁଆଡ଼େ ଯାଇ ତଦନ୍ତ ଚଳାଇଛନ୍ତି। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ଜିଲା ପୋଲିସ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲା। ଏହା ବ୍ୟତୀତ ସିନ୍‌ ରିକ୍ରିଏଶନ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ମୁଖ୍ୟତଃ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁର ଆନୁମାନିକ କାରଣ ଜାଣିବା ପାଇଁ ଏହି ସିନ୍‌ ରିକ୍ରିଏସନ କରାଯିବ। ତେଣୁ ତଥ୍ୟ ଓ ଜବତ ସାମଗ୍ରୀରୁ ପରୀକ୍ଷଣ ରିପୋର୍ଟ ଆଧାରରେ ଏହି ରହସ୍ୟ ଉନ୍ମୋଚନ କରାଯିବ ବୋଲି ସୂଚନା ମିଳିଛି।