ବିବନଙ୍କ ଆଜି ହେବ ଟିଆଇ ପରେଡ

ଭୁବନେଶ୍ୱର(ବ୍ୟୁରୋ),୩।୩:ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଅଫ୍‌ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍‌ ହେବ। ଝାରପଡ଼ା ଜେଲ୍‌ରେ ମଧ୍ୟାହ୍ନରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମ୍‌ଏଫ୍‌ସି) ସ୍ରୁଜାଲିନ୍‌ ମହାନ୍ତିଙ୍କ ଉପସ୍ଥିତିରେ ପୀଡ଼ିତା ଅଞ୍ଜନା ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ।
ଏଥିସହ ଅଭିଯୁକ୍ତଙ୍କୁ ଆସନ୍ତା ୪ ଓ ୫ତାରିଖ ୨ଦିନ ସିବିଆଇ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ସିଜେଏମ୍‌ ଅଦାଲତ ଅନୁମତି ଦେଇଛନ୍ତି। କୋଲ୍‌କାତାର ଏକ ସିବିଆଇ ଟିମ୍‌ ଅଭିଯୁକ୍ତ ବିବନଙ୍କ ଟିଆଇ ପରେଡ୍‌ ଏବଂ ୫ଦିନ ରିମାଣ୍ଡରେ ନେବାକୁ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଟିଆଇ ପରେଡ ସହ ୨ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏନେଇ ପୀଡ଼ିତା ଅଞ୍ଜନା କହିଛନ୍ତି, ଗଣବଳାତ୍କାର ଘଟଣାକୁ ଇତିମଧ୍ୟରେ ୨ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଏତେଦିନ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବି। ଏହା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ମନେପକାଇବାକୁ ଯଥାସମ୍ଭବ ଚେଷ୍ଟା କରିବି। ଏଥିସହ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର ହେବାରେ କିଏ କିଏ ସବୁ ସହଯୋଗ କରିଥିଲେ, ସେ ଦିଗକୁ ଗୁରୁତର ସହ ତଦନ୍ତ କରିବାକୁ ଅଞ୍ଜନା କହିଛନ୍ତି।
ପ୍ରକାଶ ଯେ, ୧୯୯୯ ଜାନୁୟାରୀ ୯ ତାରିଖରେ ବାରଙ୍ଗ ବେଲ୍‌ଗାଛିଆ ନିକଟରେ ଅଞ୍ଜନାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ତିନିଜଣଙ୍କ ମଧ୍ୟରୁ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଧୀରେନ୍ଦ୍ର ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲେ। ଦୀର୍ଘ ୨୨ବର୍ଷ ପରେ ନିକଟରେ କମିଶନରେଟ ପୋଲିସ ଅପରେଶନ ସାଇଲେଣ୍ଟ ଭାଇପରରେ ନିଜ ନାମ ପରିବର୍ତ୍ତନ କରି ମହାରାଷ୍ଟ୍ର ପୁଣେସ୍ଥିତ ଆମ୍ବିଭ୍ୟାଲିରେ ରହୁଥିବା ଅଭିଯୁକ୍ତ ବିବନଙ୍କୁ ଗିରଫ କରିଥିଲା। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ସିବିଆଇକୁ ହସ୍ତାନ୍ତର କରିଥିଲା।