ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଥିଲା। ସହରର ସୌନ୍ଦର୍ଯ୍ୟକରଣର ଆଉ ଏକ ପଦକ୍ଷେପ ସ୍ବରୁପ ଏହି ନିୟମ ପ୍ରାୟ ୧୦ମାସ ତଳେ କରାଯାଇଥିଲା। ଦୀର୍ଘଦିନ ଧରି ରାସ୍ତାକଡ଼ରେ ପଡି ରହିଥିବା ଗାଡ଼ିକୁ ବୁଲିବୁଲି ବିଏମ୍‌ସି କର୍ମଚାରୀମାନେ ନୋଟିସ୍‌ ମାରିଥିଲେ। ୭ଦିନ ମଧ୍ୟରେ ସମ୍ପୃକ୍ତ ଗାଡ଼ିର ମାଲିକ ଏହାକୁ ନ ଉଠାଇଲେ ବିଏମ୍‌ସି ନିଜେ ସେଗୁଡିକ ଉଠାଇନେବ ବୋଲି ଚେତାବନୀ ଦିଆଯାଇଥିଲା। ମାତ୍ର ଏବେ ନିଜ ନିୟମକୁ ନିଜେ ଭୁଲି ଯାଇଛି ବିଏମ୍‌ସି। ସହରର ବିଭିନ୍ନ ଅଞ୍ଚଳ ଏପରିକି ମୁଖ୍ୟ ରାସ୍ତାକଡ଼ରେ ପରିତ୍ୟକ୍ତ ଗାଡ଼ି, ଭଙ୍ଗା କ୍ୟାବିନ୍‌ ପଡି ରହିଥିଲେ ବି ସେଗୁଡିକୁ ହଟାଯାଉ ନାହିଁ କିମ୍ବା ସମ୍ପୃକ୍ତ ମାଲିକଙ୍କୁ ତାଗିଦ୍‌ ମଧ୍ୟ କରାଯାଉନାହିଁ। ଫଳରେ ଏବେ ରାସ୍ତାକଡ଼ ଏକ ପ୍ରକାରର କବାଡ଼ିଖାନାରେ ପରିଣତ ହୋଇଛି।

ଶହୀଦନଗରସ୍ଥିତ ରାଜ୍ୟ ରାଜସ୍ବ ଓ ଆୟକର ବିଭାଗ ଅଫିସ ନିକଟରେ ପ୍ରାୟ ୭ଟି ପରିତ୍ୟକ୍ତ ଗାଡ଼ି ପାଦଚଲା ରାସ୍ତା ଉପରେ ପଡ଼ିରହିଛି। ସେହିପରି କଳ୍ପନାରୁ ବଡ଼ଗଡ଼କୁ ଯିବା ରାସ୍ତାରେ ୨ଟି ପରିତ୍ୟକ୍ତ ଜିପ୍‌, ଶହୀଦନଗର କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତା, ମଞ୍ଚେଶ୍ୱର ଥାନା ସମ୍ମୁଖ ରାସ୍ତା କଡ଼ରେ ମଧ୍ୟ ଦୁଇଟି ପରିତ୍ୟକ୍ତ ଗାଡ଼ି ଥୁଆ ହୋଇଛି। କେବଳ ସେତିକି ନୁହେଁ, ଖଣ୍ଡଗିରିରୁ ବରମୁଣ୍ଡା ଯିବା ରାସ୍ତାରେ ରାଜପଥ କଡ଼ରେ ପରିତ୍ୟକ୍ତ କ୍ୟାବିନ୍‌ ରହିଛି, ଯାହାକୁ ବିଏମସି ଉଚ୍ଛେଦ କରୁନାହିଁ। ଏନେଇ ବିଏମ୍‌ସିର ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାକଡ଼ରେ ପଡି ରହୁଥିବା ଠେଲାଗାଡ଼ି, ଟ୍ରଲି ଆଦିକୁ ବିଏମ୍‌ସି ଉଠାଇ ନେଉଛି। ଖାଓଗଳିରେ ପଡି ରହୁଥିବା ଭଙ୍ଗାରୁଜା ଜିନିଷକୁ ଗତ ସୋମବାର ଉଠାଯାଇଥିଲା। ମାତ୍ର ପରିତ୍ୟକ୍ତ ଗାଡ଼ି ଉଠା କାମ ଏଯାବତ୍‌ ଆରମ୍ଭ ହୋଇନି, କେବଳ ନୋଟିସ୍‌ ମରାଯାଉଛି। ପରିତ୍ୟକ୍ତ ସାମଗ୍ରୀକୁ ଉଠାଇବା ଆରମ୍ଭ କଲେ ସେମାନେ ନେଇ ଯାଉଛନ୍ତି। ନଚେତ୍‌ ସମ୍ପୃକ୍ତ ଜୋନ୍‌ ଅଫିସ୍‌ରେ ଏହାକୁ ରଖାଯାଉଛି। ସେହିପରି ପୋଲିସ୍‌ ଜବତ ଗାଡି ରଖିଥିବା ସ୍ଥାନରେ କିଛି ଉନ୍ନତିମୂଳକ କାମ ଚାଲିଲେ ସେଗୁଡିକୁ ଉଠାଇବା ପାଇଁ ଥାନାଧିକାରୀଙ୍କୁ କୁହାଯାଉଛି। ତେବେ ଯେଉଁ ଗାଡ଼ି ଉପରେ କୋର୍ଟରେ କେସ୍‌ ଚାଲିଛି ସେଗୁଡିକ ଏଭଳି ପଡି ରହୁଛି। ଏହାର ସମାଧାନ ପାଇଁ ଖୁବ୍‌ଶୀଘ୍ର କିଛି ବାଟ ବାହାର କରିବୁ। ସେହିପରି ଡିସିପି ପ୍ରତୀକ ସିଂ କହିଛନ୍ତି, ପ୍ରତିଦିନ ଦୁର୍ଘଟଣା ହେଉଛି, ଗାଡ଼ି ଜବତ କରାଯାଉଛି। ପରେ ଫେରାଯାଉଛି। ଏହାଏକ ନିୟମିତ ପ୍ରକ୍ରିୟା। ପରିତ୍ୟକ୍ତ ଗାଡ଼ି ଯେପରି ପଡି ନ ରୁହେ ସେ ନେଇ ଧ୍ୟାନ ଦିଆଯାଉଥିବା ଡିସିପି କହିଛନ୍ତି।