ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨:  ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ମିଳିତ ଭାବେ ଭୁବନେଶ୍ୱର ରେଳଷ୍ଟେଶନର ପୁନର୍ନିର୍ମାଣ ଓ ବିକାଶ କାର୍ଯ୍ୟ କରୁଛନ୍ତି। ସେହିଭଳି ରେଳପଥ ଏବଂ ଓଡ଼ିଶା ସରକାରରେ ନୂତନ ଷ୍ଟେଶନ କୋଠା ଏବଂ ପ୍ଲାଟ୍‌ଫର୍ମ ସହିତ ଏକ ନୂତନ ରେଳ ଲାଇନ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ରାଜଧାନୀର ପରିବେଶ ସହିତ ବିଡିଏ ଏକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶଦାତା ନିଯୁକ୍ତ ହୋଇଛି। ସେହିପରି ରେଳ ଷ୍ଟେଶନକୁ ଏକ ‘ମଲ୍ଟି ମୋଡାଲ ହବ୍‌’ରେ ପରିଣତ କରିବାକୁ ଗୋୟଲ ତାଙ୍କ ଉତ୍ତରରେ କହିଥିଲେ। ଓଡ଼ିଶାରେ ରେଳ ପ୍ରକଳ୍ପ ବିଷୟରେ ଅଧିକ ସୂଚନା ଦେଇ ସେ କହିଛନ୍ତି, ପୁରୀ-କୋଣାର୍କ ନୂତନ ଲାଇନ ପାଇଁ ସର୍ଭେ ୨୦୧୫-୧୬ରେ ଶେଷ ହୋଇଛି। ସେହିଭଳି ପ୍ରସ୍ତାବିତ ରେଳଲାଇନ ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଯାଇଥିବାରୁ ଅଭୟାରଣ୍ୟର କୌଣସି କ୍ଷତି ନ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ସମ୍ଭାବନା ଖୋଜିବା ପାଇଁ ପୁନଃ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ନୂଆପଡ଼ା-ଗୁଣପୁର ରେଳଲାଇନକୁ ଥେରୁବାଲି ପର୍ଯ୍ୟନ୍ତ ବିସ୍ତାର କରିବାର ମଧ୍ୟ ପ୍ରସ୍ତାବ ୨୦୧୭-୧୮ ବଜେଟରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିଲାଗି ‘ବିସ୍ତୃତ ପ୍ରକଳ୍ପ ରିପୋର୍ଟ’ ପ୍ରସ୍ତୁତ କରାଯାଇଛି। ନିର୍ମାଣ ଖର୍ଚ୍ଚର ୫୦% ଅର୍ଥ ବହନ କରିବାକୁ ଏବଂ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ମାଗଣାରେ କେବଳ ଜମି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ୫୦% ନିର୍ମାଣ ଖର୍ଚ୍ଚ ବହନ କରିବାକୁ ରାଜ୍ୟକୁ ଅନୁରୋଧ କରାଯାଇଛି। ଗୁଣପୁର-ଥିରୁବାଲି ରେଳ ଲାଇନ ନିର୍ମାଣ ପାଇଁ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ଉପରେ ରେଳମନ୍ତ୍ରୀ ଉତ୍ତରରେ ଏହା ମଧ୍ୟ କହିଛନ୍ତି।