ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି। ଏମାନଙ୍କୁ ସାବାଡ଼ କରିବା ସହ ବସ୍ତିରୁ ଅପରାଧୀଙ୍କ ଆଡ୍ଡାକୁ ହଟାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ। ଏଥିପାଇଁ ଆରମ୍ଭ କରିଛି ‘ବସ୍ତିକୁ ଚାଲ’ ଅଭିଯାନ।
ଅନୁଯାୟୀ, ବସ୍ତି ଲୋକଙ୍କ ସହ ସମ୍ପର୍କ ବଢ଼ାଇବ ପୋଲିସ। ଏଥିପାଇଁ ପ୍ରତି ସପ୍ତାହରେ ନିଜ ଥାନାଞ୍ଚଳର ୫ରୁ ୬ ବସ୍ତିକୁ ଯିବ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ମାସେ ପାଇଁ ପ୍ରତି ଥାନା ୩ଟି ବସ୍ତିକୁ ପରୀକ୍ଷାମୂଳକ ଭାବେ ନେବେ। ବସ୍ତି ଅଞ୍ଚଳରେ ରହୁଥିବା ବା ରହିବାକୁ ଥିବା ଭଡାଟିଆଙ୍କ ବିଷୟରେ ଘର ମାଲିକମାନେ ପୋଲିସକୁ ଅବଗତ କରାଇବାକୁ କହିବେ। ପୋଲିସ ଉକ୍ତ ଭଡାଟିଆଙ୍କ ସମସ୍ତ ପରିଚୟପତ୍ର ଯାଞ୍ଚ କରିବ। ଏଥିସହିତ ବସ୍ତିରେ କେଉଁମାନେ ରହୁଛନ୍ତି, ସେମାନେ କ’ଣ କରୁଛନ୍ତି, ବସ୍ତିର କିଏ କିଏ ପ୍ରମୁଖ ଲୋକ ଆଦି ସମସ୍ତ ତଥ୍ୟ ପୋଲିସ ସଂଗ୍ରହ କରିବ। ପୋଲିସକୁ ସହାୟତା ପାଇଁ ଉକ୍ତ ବସ୍ତି ଅଞ୍ଚଳର ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଯଦି କାହା ନାଁରେ ଆପରାଧିକ ମାମଲା ରହିଥିବା ସୂଚନା ମିଳେ, ପୋଲିସ ତାଙ୍କ ଉପରେ ସର୍ବଦା ନଜର ରଖିବ। ସେହିଭଳି ପ୍ରତି ସପ୍ତାହରେ ପୋଲିସ ଉକ୍ତ ବସ୍ତିଲୋକଙ୍କୁ ନେଇ ବୈଠକ କରିବ। ଏହାଦ୍ୱାରା ରାଜଧାନୀରେ ଅପରାଧକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ତେବେ ସହରରେ ଗତବର୍ଷ ଛିନ୍‌ତାଇ ଓ ଲୁଟ୍‌ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ରାଜ୍ୟ ବାହାରୁ ଅନେକ ଗ୍ୟାଙ୍ଗ୍‌ ଆସି ବସ୍ତି ଅଞ୍ଚଳରେ ରହିବା ସହ ସହରସାରା ଲୁଟ୍‌ପାଟ୍‌ କରିଥିଲେ। ଏଥିସହିତ ଅନେକ ଆପରାଧିକ ମାମଲାରେ ବସ୍ତି ପିଲା ମଧ୍ୟ ସାମିଲ ରହୁଛନ୍ତି। ତେଣୁ ଅପରାଧ ହ୍ରାସ ପାଇଁ ପୋଲିସ ନୂଆବର୍ଷରୁ ବସ୍ତି ଅଞ୍ଚଳକୁ ଫୋକସ କରିଛି।