ଭୁବନେଶ୍ୱରକୁ ‘ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ୍‌ ଚ୍ୟାଲେଞ୍ଜ ପୁରସ୍କାର’

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଚଳିତବର୍ଷ ଜୁନ୍‌ ୨୫ରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉଏକ ପୁରସ୍କାର। ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ୍‌ ଚ୍ୟାଲେଞ୍ଜ ଷ୍ଟେଜ୍‌-୧ ପୁରସ୍କାର ପାଇଥିବା ଦେଶର ଶ୍ରେଷ୍ଠ ୧୧ ସହର ମଧ୍ୟରେ ଓଡ଼ିଶାରୁ ଭୁବନେଶ୍ୱର ରହିଥିବା ଜଣାପଡିଛି। ସହରରେ ସାଇକେଲ ଚାଳନା ପାଇଁ ବାତାବରଣ ସୃଷ୍ଟି କରାଯିବା ସହ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାରେ ଭୁବନେଶ୍ୱର ସଫଳ ହୋଇଥିବାରୁ ଏହି ପୁରସ୍କାର ମିଳିଛି। ଏଥିସହ କର୍ନାଟକର ବେଙ୍ଗାଲୁରୁ, ପଞ୍ଜାବ ଓ ହରିୟାଣାର ଚଣ୍ଡିଗଡ଼, ନାଗାଲାଣ୍ଡର କୋହିମା, ମହାରାଷ୍ଟ୍ରର ନାଗପୁର, ପଶ୍ଚିମବଙ୍ଗର କୋଲକାତା, ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚୱାଡ୍‌, ଗୁଜରାଟର ସୁରଟ, ରାଜକୋଟ, ଭଦୋଦରା ଓ ତେଲଙ୍ଗାନାର ୱାରଙ୍ଗାଲ ମଧ୍ୟ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବାବଦକୁ ପ୍ରତ୍ୟେକ ସହରକୁ ୧ କୋଟି ଟଙ୍କା ଲେଖାଏ ମିଳିବ। ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଶ୍ରେଷ୍ଠ ୧୧ ବିଜେତା ସହର ନାମ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରୁଥିବା ସମସ୍ତ ସହରର ଅନ୍ୟ ହିତାଧିକାରୀମାନେ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବ ପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ସଞ୍ଜୟ କୁମାର ସିଂ କହିଛନ୍ତି, ଆମେ ଦ୍ୱିତୀୟ ସିଜନରେ ନିୟମିତ ଭାବେ ସାଇକେଲ ଚଲାଇବା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ଯାଉଛୁ। ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସାଇକେଲ ବାଣ୍ଟିବା ପଦକ୍ଷେପକୁ ମଧ୍ୟ ଲୋକପ୍ରିୟ କରିବାକୁ ଯାଉଛୁ।