ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ(ଡିସିପି) ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ଯାହାକି ରାଜଧାନୀ ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଫିସର ଅଟନ୍ତି। ପୂର୍ବରୁ ସେ କଟକ ଡିସିପି ଭାବେ କାର୍ଯ୍ୟ କରିଥିବାବେଳେ ଅନୁଗୋଳ ଏବଂ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀ ୨୮ରେ ଭୁବନେଶ୍ୱର ଡିସିପି ଭାବେ ସେ ଯୋଗ ଦେଇଥିଲେ।
ତାଙ୍କର ରିଜାଇନ ଏଭଳି ସମୟରେ ଆସିଛି, ଯେତେବେଳେ କମିଶନରେଟ୍ ପୋଲିସ ସମ୍ପ୍ରତି ବାଲିଅନ୍ତାରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି। ଉକ୍ତ ଘଟଣାରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ସମୟରେ ଡିସିପିଙ୍କ ଚାକିରି ଛାଡ଼ିବା ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ହେଉଛି।