ଭୁବନେଶ୍ୱର, କଟକ ପାଇଁ ଚିନ୍ତା ବଢ଼ିଲା: ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରେନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧,୮୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ରାଜଧାନୀରୁ ରହିଛନ୍ତି ୧,୦୦୪। ସେହିପରି କଟକ ଜିଲାରେ ୪୯୬ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର। ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଛି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମଣ କରୁଛନ୍ତି। ଯେଉଁ କାରଣରୁ କମ୍ୟୁନିଟି ଟ୍ରାନ୍ସମିଶନ୍‌ ବା ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିପାଇଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି। ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଯୋଗୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏବଂ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର ରାତିରୁ ୪୮ଘଣ୍ଟା ପାଇଁ ସିଲ୍‌ କରାଯାଇଛି। ଫଳରେ ଏହା ଶୁକ୍ରବାର ରାତି ପର୍ଯ୍ୟନ୍ତ ଲାଗୁ ରହିବ। ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ ଥିବାରୁ ସୋମବାର ମାର୍କେଟ ବିଲ୍‌ଡିଂ ଖୋଲିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ତାକୁ ରୋକିବା ପାଇ ନୂଆ ଷ୍ଟ୍ରାଟେଜି ବା ରଣନୀତି ଆବଶ୍ୟକ ବୋଲି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର କହିଛନ୍ତି। ଏବେ ଆମକୁ ସ୍ପେଶାଲ ଷ୍ଟ୍ରାଟେଜି ନେବା ଦରକାର। ବିଶେଷକରି କଟକ ଓ ଭୁବନେଶ୍ୱରରେ କଟକଣା ଅଧିକ କରିବା ଦରକାର। ନଚେତ୍‌ ସ୍ଥିତି ଆଗକୁ ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ୍‌ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। କାରଣ ଏହି ତିନୋଟି ସ୍ଥାନରେ ଅଧିକ ଗହଳି ହେଉଛି। ଭିଡ଼ରେ ହିଁ ସଂକ୍ରମଣ ବଢ଼ିବା ଅଧିକ ଆଶଙ୍କା ଥାଏ। ଏହି ସ୍ଥାନଗୁଡ଼ିକ ଉପରେ କଟକଣା ନ ଲଗାଇଲେ ସଂକ୍ରମଣ ଆହୁରି ବଢ଼ିବ ବୋଲି ଡା. ମହାପାତ୍ର କହିଛନ୍ତି।