ଭୁବନେଶ୍ୱର କୋର୍ଟ ନ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୪। ୮ (ବ୍ୟୁରୋ): ଭୁବନେଶ୍ୱର କୋର୍ଟରେ କାର୍ଯ୍ୟରତ ଜଣେ ସିଏସ୍‌ଆଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ କୋର୍ଟ ପରିସରକୁ ସାନିଟାଇଜ୍‌ କରାଯାଉଛି। ଏଥିସସହ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। କୋର୍ଟକୁ କେହି ନ ଆସିବାକୁ ପରାମର୍ଶ ଦିଆଯାଇଛି। ଖୋର୍ଦ୍ଧା ସିଭିଲ୍‌ କୋର୍ଟ ରେଜିଷ୍ଟ୍ରାର୍‌ ଏ ନେଇ ଭୁବନେଶ୍ୱର ବାର୍‌ ଆସୋସିଏଶନକୁ ଚିଠି ଲେଖିଛନ୍ତି। ଓକିଲ, ଜୁଡିସିଆଲ ଅଫିସର, କୋର୍ଟ ଷ୍ଟାପ୍‌, ମକଦ୍ଦମାକାରୀ ଓ ଅନ୍ୟମାନଙ୍କୁ କୋର୍ଟ ଆସିବାକୁ ମନା କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟକୁ ଭିଡ଼ିଓ କନ୍‌ଫରେନ୍ସିଂ ଓ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରିବାକୁ ରେଜିଷ୍ଟ୍ରାର କହିଛନ୍ତି। ଯଦି କେହି ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆସୁଛନ୍ତି ସେମାନେ କୋର୍ଟ ପରିସରରେ ଏକାଠି ଛିଡା ନ ହୋଇ ସାମାଜିକ ଦୂରତା ରଖି ନିଜ କାର୍ଯ୍ୟ ଶେଷ କରି ଯଥା ସମ୍ଭବ ଶୀଘ୍ର ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟରେ ଉକ୍ତ ସିଏସ୍‌ଆଇ କର୍ମଚାରୀ ଜଣକ କୋର୍ଟରେ କାହା ସହ ମିଶିଛନ୍ତି ସେନେଇ ବିଏମ୍‌ସି ଓ ଡାକ୍ତରୀ ଟିମ୍‌ ଟ୍ରେସ୍‌ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିଲେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।