ଭୃଗୁଙ୍କୁ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ କରିବ ବିଜେଡି

ଭୁବନେଶ୍ୱର, ୩।୪: ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଆଜି ସକାଳେ ଭାଜପାରୁ ଭୃଗୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗିରହିଥିଲା। ଆଉ ଏବେ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ସେ ବିଜେଡିରେ ମିଶିଛନ୍ତି। ତେବେ ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ଅନ୍ୟପଟେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଦଳର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ବିଜେଡି ସହ ଥିବା ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରି ସାହୁଙ୍କୁ ନିର୍ବାଚନୀ ଇସ୍ତାହାର କମିଟି ଭଳି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ କରାଯିବା ଖୋଲାଖୋଲି ଭାବେ ବିଜେଡିର ପୁରୁଣା ନେତାଙ୍କ ପ୍ରତି ଶକ୍ତଧକ୍କା ପାଲଟିଛି । ବିଜେଡି ତାଙ୍କୁ ପୁଣିଥରେ ଏମ୍‌ପି ପ୍ରାର୍ଥୀ କରୁ ନ ଥିବାରୁ ଏବେ ଏହି ଆସନ ପାଇଁ ଚର୍ଚ୍ଚା ହେଉଛି। ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକ ସଭା ଆସନରୁ ଟିକେଟ ଦେଇପାରେ ବିଜେଡି।