ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ ସହଯୋଗରେ ଏହା ହେବ। ଖୁବ୍‌ଶୀଘ୍ର ଏହାର କାମ ଆରମ୍ଭ ହେବ। ଆଗକୁ କଲେଜ ଖୋଲିବ, ତେଣୁ କୋଭିଡ୍‌ ହସପିଟାଲ ପାଇଁ ସ୍ବତନ୍ତ୍ର ଗେଟ୍‌ ଓ ପାଚେରୀ ନିର୍ମାଣ ହେବ।
ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ଏମ୍‌ପି ତଥା କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ କିମ୍ସର ବିଶେଷଜ୍ଞ ଟିମ୍‌ ବୁଧବାର ପ୍ରସ୍ତାବିତ କୋଭିଡ୍‌ ହସ୍‌ପିଟାଲ ଭିତ୍ତିଭୂମି ଦେଖିବା ପାଇଁ କେଏସ୍‌ୟୂବି କଲେଜ ପରିଦର୍ଶନ କରିଥିଲେ। ଏହା କୋଭିଡ୍‌ ହସପିଟାଲ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ଟିମ୍‌ର ଗସ୍ତ ସମୟରେ ସ୍ବତନ୍ତ୍ର ଏଡିଏମ୍‌ ବିଶାଲ ସିଂ, ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ, ମେଡିକାଲ ଅଧିକ୍ଷକ ଡ. ସୀତାଶୁଂ ଶତପଥୀ, କେଏସ୍‌ୟୂବି କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ବ୍ଲକ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।