ବିଏସ୍‌ସି ପରେ ଚିଠି ବାଣ୍ଟୁଛନ୍ତି ଭୋଜରାଜ

ଢେଙ୍କାନାଳ ଅଫିସ,୨୪।୯: ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟ ମ୍ୟାନ ନବଘନ ଦୁଡୁଆ। ଗତ ବର୍ଷ କରୋନା ମହାମାରୀ ସମୟରେ ସାଇକେଲରେ ଚିଠି ବାଣ୍ଟୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ। ଫଳରେ ଡାକଘରକୁ ଯିବା କିମ୍ବା ଚିଠି ବାଣ୍ଟିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା। ଏନେଇ ନବଘନ ଚିନ୍ତାରେ ପଡ଼ିଯାଇଥିଲେ।
ବାପାଙ୍କ ଅବସ୍ଥା ଦେଖି ପୁଅ ଭୋଜରାଜ ପାଠ ପଢ଼ାରେ ଡୋରି ବାନ୍ଧି ବାପାଙ୍କୁ ସାହାଯ୍ୟ କରିବାକୁ ବାହାରି ଆସିଥିଲେ। ଭୋଜରାଜ ପ୍ରତିଦିନ ସକାଳେ ସ୍କୁଟିରେ ବାପାଙ୍କୁ ଧରି ଡାକଘରକୁ ଆସି ବାପାଙ୍କ କହିବାନୁଯାୟୀ ଚିଠି ସଟିଂ କରନ୍ତି। ପରେ ବାପାଙ୍କୁ ସାଥିରେ ନେଇ ଚିଠି ବାଣ୍ଟିବାକୁ ବିଭିନ୍ନ ଅଞ୍ଚଳକୁ ଯାଇଥା’ନ୍ତି।
ଭୋଜରାଜ ବିଏସ୍‌ସି ପାସ୍‌ ପରେ ପିଜି କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ବାପାଙ୍କ ଅବସ୍ଥା ଏବଂ ଘରର ପରିସ୍ଥିତି ପାଇଁ ସେ ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ସବୁ କିଛି ତ୍ୟାଗ କରିଛନ୍ତି। ସେ ଜଣେ ଅନନ୍ୟ ଶ୍ରବଣ କୁମାର ବୋଲି ସହରରେ ଆଲୋଚନା ହେଉଛି ।