ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୨୦୧୪ରୁ ଏହା ସ୍ବୟଂଶାସିତ ଘୋଷଣା ହୋଇଥିଲା। କର୍ତ୍ତୃପକ୍ଷ, ପିଜି ଓ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଭିମ୍‌ସାର ପରୀକ୍ଷା ପରିଚାଳନା କରୁ ବୋଲି ଦାବି କରିଆସୁଥିଲେ। ଏହା ପୂରଣ ହୋଇଥିବାରୁ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ର ବେଶ୍‌ ଉତ୍ସାହିତ ଅଛନ୍ତି। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ପରୀକ୍ଷା ପରିଚାଳନା ନେଇ ଦାବି ହୋଇଆସୁଥିଲା। ଏସ୍‌ୟୁ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ପରିଚାଳନା ହେବ। ପରୀକ୍ଷା ନିୟନ୍ତ୍ରଣରେ ଡାକ୍ତରଙ୍କୁ ନିଯୁକ୍ତି କରାଯିବ। ସେମାନେ ଅଭିଜ୍ଞ ନ ଥିବାରୁ ସାମାନ୍ୟ ସମସ୍ୟା ହୋଇପାରେ। ହେଲେ ସମସ୍ତଙ୍କ ସହଯୋଗରେ ପରୀକ୍ଷା କରାଯାଇ ପାରିବ ବୋଲି କହିଥିଲେ। ୟୁଜି ଛାତ୍ରଙ୍କ କହିବା କଥା ପୂର୍ବରୁ ପରୀକ୍ଷା ହେବାରେ ସମସ୍ୟା ହେଉଥିଲା। ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଉଥିଲା। ତେଣୁ ଶିକ୍ଷାବର୍ଷ ଶେଷ ହେବାରେ ମଧ୍ୟ ବିଳମ୍ବ ହୋଇଯାଉଥିଲା। ପରୀକ୍ଷା କାମ ପାଇଁ ଭିମ୍‌ସାର ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ଏସ୍‌ୟୁ ଯିବାଆସିବା କରିବାକୁ ପଡୁଥିଲା। ଏବେ ଭିମ୍‌ସାର ଠିକ୍‌ ସମୟରେ ନିଜେ ପରୀକ୍ଷା କରିବ ଓ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥିରେ ଛାତ୍ରୀଛାତ୍ରଙ୍କୁ ଲାଭ ମିଳିପାରିବ। ସୂଚନାଯୋଗ୍ୟ ଭିମ୍‌ସାରରେ ୧ ହଜାର ଏମ୍‌ବିବିଏସ୍‌ ଓ ୩୦୦ ପିଜି ସିଟ୍‌ ରହିଛି। ନିଜେ ପରିଚାଳନା କଲେ ୧୩ଶହ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।

Share