ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ ଜାରି ରହିଛି। ଏହି ଅନୁସନ୍ଧାନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଅଶ୍ୱିନୀ ମେହେର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ପ୍ରଚୁର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ତଦନ୍ତକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ବୁର୍ଲାର ସୌରଭ ବିହାରଠାରେ ପ୍ରାୟ ୬୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ନିର୍ମାଣାଧୀନ ବିଶାଳ ଚାରିମହଲା କୋଠାଘର ସହିତ ବୁର୍ଲା ସହରର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଅନ୍ୟ ଏକ ଆବାସିକ ଗୃହ, ବରଗଡ଼ ଜିଲା ଗୋବିନ୍ଦପାଲିଠାରେ ଏକ ବଡ଼ କୋଠା ଏବଂ ବୁର୍ଲା ସହର ମଧ୍ୟରେ ଏକ ବ୍ୟବସାୟିକ ଗୋଦାମ ବା ଷ୍ଟୋର ରୁମ ଠାବ କରାଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରତିଷ୍ଠିତ ଅଞ୍ଚଳରେ ୧୦ଟି ମୂଲ୍ୟବାନ ପ୍ଲଟ ରହିଥିବା ଜଣାପଡ଼ିଛି।
ସେଥିମଧ୍ୟରୁ ବୁର୍ଲା ସହରର ୟୁନିଟ-୨ ମୌଜାରେ ଖାତା ନମ୍ବର ୩୬୧/୪୧ ଏବଂ ୩୬୧/୮୨୫୮ ଅନ୍ତର୍ଗତ ଏକାଧିକ ମ୍ଯଯଯବାନ ପ୍ଲଟ ସାମିଲ ରହିଛି। ସେହିପରି ସମ୍ବଲପୁର ତହସିଲ ଅଧୀନ ଲାରପଙ୍କ ମୌଜାରେ ୨ଟି ପ୍ଲଟ ଏବଂ ବରଗଡ଼ର ଗୋବିନ୍ଦପାଲି ତଥା ବରଗଡ଼ ମୌଜାର ବିଭିନ୍ନ ସ୍ଥାନରେ ଖାତା ନମ୍ବର ୨୪୧୪/୮୭୨୮ ଅଧୀନରେ ଆଉ ୪ଟି କ୍ରୟ କରାଯାଇଥିବା ଜମିର ଦଲିଲ ମିଳିଛି। ଭିଜିଲାନ୍ସର ବୈଷୟିକ ୱିଙ୍ଗ ବା ଟେକ୍ନିକାଲ ଟିମ ଦ୍ୱାରା ଏହି ସମସ୍ତ କୋଠାବାଡ଼ି ଓ ଜମିର ପ୍ରକୃତ ମାପଚୁପ ଏବଂ ବଜାର ମୂଲ୍ୟର ଆକଳନ ପ୍ରକ୍ରିୟା ଜାରି ରହିଛି। ଏହା ସହିତ ସଂପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ ହୋଇଥିବା ବିନିଯୋଗର ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଛି। ଚଢ଼ାଉ ସମୟରେ ଦୁଇଟି ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ ଏବଂ ସମ୍ପତ୍ତିର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ତଦନ୍ତ ଜାରି ରହିଛି ଓ ଏ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ଶୀଘ୍ର ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।