ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି) ବସ୍ ସେବା ଗତ ସେପ୍ଟେମ୍ବର ୨ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଥୁଆମୂଳ ରାମପୁର ଓ ତାସିଗୁଡ଼ା ଭଳି ଦୁର୍ଗମ ପାହାଡ଼ିଆ ଓ ଆଦିବାସୀ ବହୁଳ ଅଞ୍ଚଳରେ ଅନ୍ୟ ପରିବହନ ବ୍ୟବସ୍ଥା ନଥିବାରୁ ଏହା ଏକମାତ୍ର ମୁଖ୍ୟ ଲାଇଫ୍ଲାଇନ୍ ଭାବେ କାମ କରୁଥିଲା। ଦୀର୍ଘ ଦିନ ଧରି ଏହି ବସ୍ ଚଳାଚଳ ବନ୍ଦ ରହିବା ଫଳରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ରୋଗୀ, ଚାଷୀ, ବ୍ୟବସାୟୀ ଓ ନିତ୍ୟଯାତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ତଥା ନିତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଗମନାଗମନ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବିକଳ୍ପ ଯାତାୟାତର ସୁବିଧା ନଥିବାରୁ ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରି ବେସରକାରୀ ଗାଡ଼ିରେ ଯିବାକୁ ବାଧ୍ୟ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହି ରୁଟ୍ରୁ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଆଦାୟ ହୋଇଥାଏ। ପୂର୍ବରୁ ଲିଜ୍ ସିଷ୍ଟମ୍ ସମୟରେ ଏହି ରୁଟ୍ ୧୩୦% କଲେକ୍ସନ୍ ସହ ଓଡ଼ିଶାରେ ୧ ନମ୍ବର ରେକର୍ଡ ସୃଷ୍ଟି କରିଥିଲା। ଏତେ ଅଧିକ ଯାତ୍ରୀ ନିର୍ଭରଶୀଳ, ଜନସେବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆର୍ଥିକ ଦୃଷ୍ଟିରୁ ସରକାରଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ରୁଟ୍ରେ ବସ୍ ସେବା ବନ୍ଦ ରହିବା ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।
ଏହି ଜରୁରୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବୁଧବାର କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଲନ୍ଧର ନାଏକ ଏକ ପତ୍ର (ପତ୍ର ସଂଖ୍ୟା: ଡିସିସି/କେଏଲଡି/୧୩୦/୨୦୨୪) ମାଧ୍ୟମରେ ରାଜ୍ୟ ବାଣିଜ୍ୟ, ପରିବହନ, ସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗାଡ଼ି ମରାମତି ହେବା ପର୍ଯ୍ୟନ୍ତ ଏକ ବିକଳ୍ପ ଓଏସଆରଟିସି ବସ୍ ଯୋଗାଇ ଦେଇ ଭବାନୀପାଟଣା-ତାସିଗୁଡ଼ା ରୁଟ୍ରେ ତୁରନ୍ତ ଯାତାୟାତ ସ୍ୱାଭାବିକ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ପତ୍ରର ନକଲ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏସଆରଟିସି ର ପରିଚାଳନା ନିର୍ଦ୍ଦେଶକ ଏନ୍.ବି.ଏସ୍. ରାଜପୁତ ଏବଂ ଭୁବନେଶ୍ୱରସ୍ଥିତ ଓଏସଆରଟିସି ର ଜେନେରାଲ ମ୍ୟାନେଜର (ଅପରେସନ୍)ଙ୍କ ପାଖକୁ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।
ଅନ୍ୟପଟେ ଏନେଇ ଓଏସଆରଟିସି ଡିପୋ ଇନ୍ଚାର୍ଜ ସ୍ୱଦେଶ କୁମାର ପାତ୍ରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବସ୍ର ମରାମତି କାମ ଚାଲିଥିବାରୁ ଏହା ଚାଲିପାରୁନାହିଁ। ବିଭାଗ ପାଖରେ ବିକଳ୍ପ ଗାଡ଼ି ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି, ତେବେ ଆସନ୍ତା ଶନିବାର ସୁଦ୍ଧା ଗାଡ଼ି ଚଳାଚଳ ପୁନଃ ସ୍ୱାଭାବିକ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।