ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍ପି ଭର୍ତ୍ତୃହରି ମହତାବ। ଦିଲ୍ଲୀରେ ଦଳୀୟ ଏମ୍ପିଙ୍କ ଉପସ୍ଥିତିରେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସିଜେପିକୁ ନବୀନଙ୍କ ସମର୍ଥନ ହୀନ ମନୋବୃତ୍ତିର ପରିଚୟ ବୋଲି କହିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ନବୀନଙ୍କ କାଲିର ମନ୍ତବ୍ୟ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେ। ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ଅନେକ ପରୀକ୍ଷା ବିଭ୍ରାଟ ହୋଇଛି। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଉଦ୍ବେଗ ଜଣାଇଥିବା ଅନେକ ନଜିର ରହିଛି।
ସୂଚନା ଥାଉକି, ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀର ଯନ୍ତରମନ୍ତରଠାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି, ଛାତ୍ରୀଛାତ୍ର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଦାବି କରୁଥିବାବେଳେ ସେମାନଙ୍କୁ ଯେଭଳି ଭାବେ ପୋଲିସ ଦ୍ୱାରା ମାଡ଼ ମରାଯାଇ ଲହୁଲୁହାଣ କରାଗଲା ତାହା ଅତ୍ୟନ୍ତ ସାଂଘାତିକ। ପୋଲିସ ଆକ୍ରମଣରେ ବହୁ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ଏବେ ଦିଲ୍ଲୀରେ ସୀମିତ ହୋଇ ରହିନାହିଁ। ଏହା ଦେଶସାରା ବ୍ୟାପିଲାଣି। ଏଥିପାଇଁ କେନ୍ଦ୍ର ସରକାର ଜବାବ ଦେବାର ଆବଶ୍ୟକତା ରହିଛି। ବିଜେଡି ପକ୍ଷରୁ ଏନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟମାନେ ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ନୈତିକ ଦୃଷ୍ଟିରୁ ଧର୍ମେନ୍ଦ୍ର ଇସ୍ତଫା ଦେବା ଉଚିତ୍ ବୋଲି ନବୀନ କହିଛନ୍ତି।