ଶିମିଳିପାଳ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା ଭଞ୍ଜସେନା

ବାରିପଦା ଅଫିସ,୩୦ା୧:ପ୍ରକୃତିର ଅପରୂପ ସବୁଜିମାଭରା ଶିମିଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ବନ୍ୟପ୍ରାଣୀ ଓ ବୃକ୍ଷଲତାର ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସ୍ତକ୍ଷେପ କରିବାକୁ ଭଞ୍ଜସେନା ପକ୍ଷରୁ ବିକଳ୍ପ ପ୍ରୟାସ ଆରମ୍ଭ ହୋଇଛି। ଶିମିଳିପାଳ ବଞ୍ଚାଅ ପ୍ଲାକାର୍ଡ ଧରି ଭିଡିଓ ଓ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିିିଆ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସେୟାର କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ଫେବୃଆରୀ ୧ତାରିଖ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ମୟୂରଭଞ୍ଜବାସୀ ଦାବି ଜଣାଇବା ପାଇଁ ସେନାର ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ା
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ସହିତ ମୂଲ୍ୟବାନ ଗଛକୁ କାଟି ଦିଆଯାଉଛି। ଶିକାରୀ ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଶିମିଳିପାଳ ଜୈବ ମଣ୍ଡଳ ଶ୍ରୀହୀନ ହେବାକୁ ବସିଛି ା ଅଖଣ୍ଡ ମୟୂରଭଞ୍ଜର ମୁକୁଟ ପରିଧାନ କରୁଥିବା ଶିମିଳିପାଳ ଅଭୟାରଣ୍ୟକୁ ବନବିଭାଗ ସୁରକ୍ଷା ଦେବା ପରିବର୍ତ୍ତେ ଶତ୍ରୁ ପାଲଟିଛି। ଦନ୍ତାହାତୀ ଶିକାରରେ ଜଡ଼ିତ ୩ ବନ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲାବାସୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ମହାବଳ, କଲରାପତରିଆ ବାଘ ଓ ଗଜରାଜଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ବସିଛି ା ଜଙ୍ଗଲରେ ଫୁଟୁଥିବା ଗୁଳିର ଶବ୍ଦରେ ତୃଣଭୋଜି ପ୍ରାଣୀମାନେ ଭୟଭୀତ ହୋଇ ବାଟବଣା ହେଉଛନ୍ତି। ଏହାକୁ ନେଇ ଭଞ୍ଜ ସେନା ପକ୍ଷରୁ ବାରମ୍ବାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରୁନାହିଁ। ଦନ୍ତାହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ୨ମାସ ବିତିବାକୁ ଯାଉଥିବା ଦନ୍ତାହାତୀର ଦାନ୍ତକୁ ବନବିଭାଗ ଜବତ କରିବାରେ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ବୋଲି ଜିଲାବାସୀ ତଥା ଭଞ୍ଜସେନାର କର୍ମକର୍ତ୍ତାମାନେ ଆଶା ପ୍ରକଟ କରିଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ଶିମିଳିପାଳ ବଞ୍ଚଅ ଅଭିଯାନ ଜାରି ରଖିବା ସହ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକଳାପକୁ ଘୋର ବିରୋଧ କରାଯିବ ବୋଲି ସେନା କର୍ମକର୍ତ୍ତା ଜଣାଇଛନ୍ତି।