କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କିନ୍ତୁ ବିଗତ ୩ ଦିନ ହେବ ସନ୍ଧ୍ୟା ସମୟରେ ହିଁ ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି। ଏହାଦ୍ବାରା ଯାତ୍ରାରେ କିଛି ମାତ୍ରାରେ ଭିଡ କମିଯାଉଛି। ଅନ୍ୟପଟେ ଆଵଶ୍ୟକତାଠାରୁ ବହୁ ଅଧିକ ଟ୍ରାଫିକ ନିୟନ୍ତ୍ରଣ କାରଣ ଯୋଗୁଁ ମଧ୍ୟ ଅନେକ ଲୋକେ ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ କିଛି ଲୋକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସ୍ବାଗତ ମଧ୍ୟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଗୁରୁବାର ରାତି ୯ ଟା ସମୟରେ ପୁରୁଣା ଜେଲ୍ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ହୋଇଥିବା କବି ସମ୍ରାଟ ରଙ୍ଗମଞ୍ଚ ଉଦଘାଟିତ ହୋଇଯାଇଛି।

ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଉପ ଜିଲାପାଳ ଉମା ଶଙ୍କର ବେହେରା, ଗଞ୍ଜାମ ଜିଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମ୍ୟୁନିସିପାଲଟି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରି କମିଟି ସଭାପତି ବିଷ୍ଠୁ ପ୍ରସାଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରୀ ସଭା ନାୟକ, ସମ୍ପାଦକ ସୁଧିର ରଞ୍ଜନ ବେହେରା, ଲୋକନାଥ କର, ଜଗଦୀଶ ପାଣିଗ୍ରାହୀ, ଇଶ୍ୱର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରାର ବିଭିନ୍ନ ଦିବସରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ଚଳିତ ଯାତ୍ରାରେ ମୁଖ୍ୟ ସଡକ ବଦଳରେ ପୁରୁଣା ଜେଲ୍ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଲୋକେ ସୁବିଧାରେ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ। ଅନ୍ୟପଟେ ଆଜି ଦେବୀଙ୍କ ବିଶ୍ରାମ ଦିଵସ ଥିଲା। ତେଣୁ ଦେବୀଙ୍କ ଆଜି ନଗର ଭ୍ରମଣ ବନ୍ଦ ଥିଲା। ଶୁକ୍ରବାର ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବ ମୁଖା ହୋଇ ବାହାରିବା ପରେ ପୂରୁଣା ମେଡିକାଲ୍ ଛକ ପର୍ଯ୍ୟନ୍ତ ଯିବେ। ଏହାପରେ ସେଠାରୁ ପଶ୍ଚିମ ମୁଖା ହୋଇ ଗୀତା ସୁନା ଦୋକାନ ପର୍ଯ୍ୟନ୍ତ ଆସିବେ। ସେଠାରେ ଦେବୀ ପୁଜା ପାଇବା ପରେ ଅନ୍ୟାନ୍ୟ ଅଞ୍ଚଳ ଦେବୀ ପରିକ୍ରମା କରିବେ। ଅପରପକ୍ଷେ ଆଜି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦଘାଟିତ ହୋଇଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରଙ୍ଗମଞ୍ଚରେ ପୁରୀ ରଘୁରାଜପୁରର ଦଶଭୂଜା ଗୋଟିପୁଅ ନୃତ୍ୟ ଏବଂ କୈବଲ୍ୟ ଭଜନ ମଞ୍ଚ ପୁରୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ଥିଲା। କିନ୍ତୁ ରାତି ୧୦ ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିନାହିଁ।

Dharitri – Odisha’s No.1 Odia Daily

Share