୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ୩୩ କୋଟିରୁ ଅଧିକ ଟଙ୍କା ଅନୁମୋଦନ ହୋଇସାରିଛି। କିନ୍ତୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଆଉ କିଛି ଅଧିକ ଶ୍ରେଣୀ କକ୍ଷ ନିର୍ମାଣ ହେବ। ତେଣୁ ବ୍ୟୟ ଅଟକଳ ବୃଦ୍ଧିପାଇଛି। ଅତିଶୀଘ୍ର ତାହାର ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହା ବିଦ୍ୟାଳୟର ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏଥିସହ ବିଧାୟକ ନାୟକ କହିଥିଲେ ଯେ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଶିକ୍ଷା, କ୍ରୀଡ଼ା, କଳା ଓ ସହ-ପାଠ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟକୁ ଆହୁରି ଉଚ୍ଚ ସ୍ତରକୁ ନେବା ପାଇଁ ସେ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିଜ୍ଞାନ, ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ। ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁବାର ଆଲୋଚନା କରାଯାଇଥିବା ସେ ସୂଚନା ଦେଇଥିଲେ। ତେଣୁ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଆଜି ଅର୍ଥ ଅନୁମୋଦନ ହୋଇଛି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ଉପଜିଲାପାଳ ତଥା ବିଦ୍ୟାଳୟ ସଭାପତି ଉମାଶଙ୍କର ବେହେରା କହିଥିଲେ ଯେ, ବିଧାୟକଙ୍କ ସହଯୋଗରେ ଚଳିତ ବର୍ଷ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀ ଆରମ୍ଭ ହୋଇଛି। ନିଷ୍ଠାର ସହ ପାଠପଢ଼ା ଓ ଅଭିଭାବକଙ୍କ ସକ୍ରିୟ ସହଯୋଗ ହିଁ ଛାତ୍ରୀଛାତ୍ରଙ୍କ ସଫଳତାର ମୂଳ ଆଧାର ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ, ଡେପୁଟି କଲେକ୍ଟର ସି.ଏଚ୍‌ ଗାୟତ୍ରୀ ଏବଂ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଭଞ୍ଜନଗର ମୁଖ୍ୟ ପରିଚାଳକ ହୃଷୀକେଶ ବେହେରା ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଜ୍ୟୋତିପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରୀ ସିମ୍ରନ ସ୍ବାଇଁ, ଦୀପ୍ତିମୟୀ ଦୋରା ସଭାକୁ ସଂଯୋଜନା କରିଥିଲେ।

Dharitri – Odisha’s No.1 Odia Daily

Share