ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଗୌଡସାହି ଗ୍ରାମରେ ସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ନ ହେବା ପ୍ରତିବାଦରେ ଗତ ୨ ତାରିଖରେ ଗ୍ରାମବାସୀ ଓ ଶିଶୁମାନେ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ତେବେ ବ୍ଲକ ପ୍ରଶାସନ ଲୋକଙ୍କ ଦାବି ଶୁଣିବା ବଦଳରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆନ୍ଦୋଳନକାରୀଙ୍କ ବିରୋଧରେ ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେଇଛି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ କୋମଳମତି ଶିଶୁମାନଙ୍କୁ ବେନିୟମ ଭାବେ ଆନ୍ଦୋଳନରେ ସାମିଲ କରି କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଅଭିଯୋଗରେ ସିଡ଼ିପିଓ ୨୧ ଜଣଙ୍କ ନାମରେ ଏହି ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ପ୍ରଶାସନର ଏଭଳି କାର୍ଯ୍ୟନୁଷ୍ଠାନ ଯୋଗୁ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ ଯେ, ୨୦୧୩ ମସିହା ପୂର୍ବରୁ ଗୌଡ଼ସାହି ଏବଂ ଜଗନ୍ନାଥପାଟଣା ସାହିର ଶିଶୁମାନେ ମୁଖ୍ୟ ରାସ୍ତା ପାର ହୋଇ ଦୂରରେ ଥିବା ଚାରିକୋଣିଆ ଅଙ୍ଗନାୱାଡି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଥିଲେ, ଯାହାକି ବେଶ୍ ବିପଦଜନକ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ୨୦୧୩ରେ ଗୌଡ଼ସାହିର ଏକ କୁଡ଼ିଆ ଘରେ ଅସ୍ଥାୟୀ ଭାବେ କେନ୍ଦ୍ରଟିଏ ଖୋଲାଯାଇଥିଲା। ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ପାଇଁ ୫୦୦ ଜନସଂଖ୍ୟା ଆବଶ୍ୟକ ହେଉଥିବାରୁ, ପ୍ରଶାସନ ସେହି ସମୟରେ ଦୁଇଟି ସାହିକୁ ମିଶାଇ ଏହି କେନ୍ଦ୍ରଟି କରିଥିଲେ। କେନ୍ଦ୍ରଟି ଗୌଡ଼ସାହିରେ ଚାଲିଥିଲେ ମଧ୍ୟ ସରକାରୀ କାଗଜପତ୍ରରେ ଏହାର ନାମ ଜଗନ୍ନାଥପାଟଣା ସାହି ରହିଯାଇଥିଲା। ନିକଟରେ ପ୍ରଶାସନ ପକ୍ଷରୁ ଗୌଡ଼ସାହିଠାରୁ ପ୍ରାୟ ୧ କିଲୋମିଟର ଦୂର ଜଗନ୍ନାଥପାଟଣା ସାହିରେ ଏହି କେନ୍ଦ୍ରର ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଚୟନ କରାଯାଇ କାମ ଆରମ୍ଭ ହେବାରୁ ଗୌଡ଼ସାହି ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ସ୍ଥାୟୀ ଗୃହ ଦୂରକୁ ଚାଲିଗଲେ ନିଜ ଗ୍ରାମର ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରି ଗ୍ରାମବାସୀମାନେ ୧୮ ଜଣ ଶିଶୁଙ୍କୁ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ।

ଶିଶୁମାନଙ୍କୁ ଆନ୍ଦୋଳନରେ ସାମିଲ କରିବାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ମତ ପ୍ରକାଶ ପାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସିଡ଼ିପିଓ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ଆଗାମୀ ଦିନରେ ଏହି ବିବାଦ ଆହୁରି ଉଗ୍ର ରୂପ ନେବାର ସମ୍ଭାବନା ରହିଛି। ଅପରପକ୍ଷେ, ପ୍ରଶାସନ ଦୁଇ ଗ୍ରାମବାସୀଙ୍କୁ ଡାକି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ସହ ସରକାରୀ ନିୟମରେ କିଛିଟା କୋହଳ କରି ଗୌଡ଼ସାହିରେ ମଧ୍ୟ ଏକ ସ୍ଥାୟୀ କେନ୍ଦ୍ର ସ୍ଥାପନ କରିବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବର୍ତ୍ତମାନ ସମଗ୍ର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Dharitri – Odisha’s No.1 Odia Daily

Share