ଶ୍ରେଣୀ ସଂଘର୍ଷର ନିଶାଣ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠୁଥିଲା ଅଭିଜାତବର୍ଗ ତଥା ଶୋଷକମାନଙ୍କ ଛାତି, ସେତିକିବେଳେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ, ଯାହାର ଆବାହକ ଥିଲେ ବିପ୍ଳବୀ ଭଗବତୀ ଚରଣ।
ସାମ୍ୟବାଦ ଏକ ବୈପ୍ଳବିକ ସିଦ୍ଧାନ୍ତ। ଏକ ବିଜ୍ଞାନସମ୍ମତ ବିଚାରଧାରା। ଅଷ୍ଟାଦଶ ଶତାବ୍ଦୀର ଶିଳ୍ପବିପ୍ଳବ ପରବର୍ତ୍ତୀ ଅର୍ଥନୀତିକ ବୈଷମ୍ୟଜନିତ ପ୍ରତିକ୍ରିୟାରୁ ତା’ର ଉନ୍ମେଷ ଓ ବିକାଶ। ଏହା ବିଶ୍ବବ୍ୟାପୀ ନିର୍ଯାତିତ ମଣିଷକୁ ଦେଖାଇଲା ଶ୍ରେଣୀହୀନ ସମାଜ ଗଠନର ବାଟ। ଏହା ବିଶ୍ବସାହିତ୍ୟକୁ ପ୍ରଭାବିତ କଲା ଏବଂ ରୂପାୟିତ ହେଲା ମାକସିମ ଗର୍ଗି, ରୁଷୋ ଓ ଭୋଲଟେୟାର ପ୍ରମୁଖ ବିଶ୍ବବିଖ୍ୟାତ ଲେଖକଙ୍କ ଲେଖନୀରେ। କ୍ରମଶଃ ଏହା ପ୍ରାନ୍ତୀୟ ସାହିତ୍ୟରେ ଆତ୍ମପ୍ରକାଶ କଲା, ଯାହାକୁ କୁହାଗଲା ପ୍ରଗତିଶୀଳ ସାହିତ୍ୟ।
ସ୍ବାଧୀନତା ସଂଗ୍ରାମକୁ କେନ୍ଦ୍ରକରି ଯେତେବେଳେ ଭାରତୀୟ କବି ଓ ଲେଖକମାନେ ଜାତୀୟବାଦୀ ଭାବନାକୁ ନେଇ ଲେଖନୀ ଚାଳନା କରିଥିଲେ, ସେତିକି ବେଳେ ଭାରତୀୟ ସାହିତ୍ୟକୁ ପ୍ରବେଶ କଲା ପ୍ରଗତିବାଦୀ ଚେତନା। ସେଥିରେ ଉଦ୍‌ବୁଦ୍ଧ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ(୧୯୩୫) ଏବଂ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ‘ଆଧୁନିକ’ (୧୯୩୬) ପତ୍ରିକା। ସେହିବର୍ଷ ‘ଆଧୁନିକ’ରେ ପ୍ରକାଶ ପାଇଲା ଭଗବତୀ ଗଳ୍ପ ମାନସର ଆଦ୍ୟଫଳ ତଥା ସମାଜବାଦୀ ଚେତନାର ଅଗ୍ନିବୀଜ ‘ଶିକାର’। ଶ୍ରେଣୀ ସଂଘର୍ଷ ତତ୍ତ୍ୱର ପ୍ରୟୋଗ ସ୍ବରୂପ ଏଥିରେ ସେ ଶୋଷିତ ହାତରେ ଧରେଇଦେଲେ ଶ୍ରେଣୀବାଦ୍‌କୁ ଖତମ କରିବାର ଅସ୍ତ୍ର। ମାର୍କସଙ୍କ ଦର୍ଶନ କହେ ଶୋଷକ ଓ ଶାସକଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତିଷ୍ଠା ହୋଇଥିବା ବିଚାରାଳୟରୁ ନ୍ୟାୟ ପାଏନି ଶୋଷିତ ଓ ସର୍ବହରା। ତେଣୁ ଗୋବିନ୍ଦ ସର୍ଦ୍ଦାର ଭଳି ଜଣେ ନର ରାକ୍ଷସକୁ ହତ୍ୟା କରିଥିବା ଗଳ୍ପନାୟକ ଘିନୁଆର ସରଳପଣକୁ ବୁଝିବା ପାଇଁ ଚେଷ୍ଟା କରିନି ଅନ୍ଧ ଆଇନ। ବରଂ ବକ୍‌ସିସ୍‌ ଦବାର ଛଳନା କରି ତାକୁ ଚଢ଼େଇ ଦେଇଛି ଫାଶୀଖୁଣ୍ଟରେ। ଶିକାର ଗଳ୍ପ ପ୍ରକାଶ ପାଇବା ପରେ ଓଡ଼ିଆ ସାହିତ୍ୟକୁ ଆଲୋଡ଼ିତ କଲା ପ୍ରଗତିବାଦୀ ସ୍ବର ଓ ସଙ୍କଳ୍ପ । ‘ଶିକାର’ ବ୍ୟତୀତ ‘ମିମାଂସା’ଏବଂ ‘ହାତୁଡ଼ି ଓ ଦା’ ଆଦି ଗଳ୍ପରେ ମଧ୍ୟ ଶ୍ରେଣୀ ସଂଘର୍ଷର ଚିତ୍ର ଉପସ୍ଥାପନ କରି ଆଗାମୀ ବିପ୍ଳବ ପାଇଁ ଗାଳ୍ପିକ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ପଟ୍ଟଭୂମି। ଭଗବତୀ ଚରଣ କେବଳ ଗାଳ୍ପିକ ନ ଥିଲେ, ଅଧିକନ୍ତୁ ସେ ଥିଲେ କବି, ପ୍ରାବନ୍ଧିକ ଓ ଅନୁବାଦକ। ଅଗଣିତ ଓଡ଼ିଆଙ୍କ ଭିତରେ ସାମ୍ୟବାଦୀ ଚିନ୍ତାଧାରାର ପ୍ରସାର ପାଇଁ କାର୍ଲମାର୍କସଙ୍କ ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’କୁ ସେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପ୍ରକାଶ ପାଇଥିଲା ‘ବୈଜ୍ଞାନିକ ସମାଜବାଦ’ ନାମରେ। ସାହିତ୍ୟ ସାଧନାଠାରୁ ତାଙ୍କ ରାଜନୈତିକ ଜୀବନ ଥିଲା ଅଧିକ ସଂଘର୍ଷମୟ ଓ ସମର୍ପିତ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ଗଠନ ହେବା ପୂର୍ବରୁ ସ୍ବାଧୀନତା ସଂଗ୍ରାମ ପାଇଁ କଂଗ୍ରେସର ଛତାତଳେ ଥିବା ବାମପନ୍ଥୀ ଯୁବକମାନେ ଚାହୁଁଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ। କଂଗ୍ରେସ ଭିତରେ ବାମପନ୍ଥୀ ସମାଜବାଦୀ ବିଚାରଧାରାର ପ୍ରବର୍ତ୍ତକ ଥିଲେ ନବକୃଷ୍ଣ ଚୌଧୁରୀ। ୧୯୩୪ ମସିହା ଫେବୃୟାରୀ ମାସରେ ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ମିଳିତ ଉଦ୍ୟମରେ ଜନ୍ମ ନେଇଥିଲା ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟିକ୍‌ ଦଳ। ଏହି ନବଗଠିତ ଦଳର ସଂପାଦକ ହୋଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ। କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହି କମ୍ୟୁନିଷ୍ଟମାନେ ଗଢ଼ିଲେ ଏକ ଗୁପ୍ତ ସଂଗଠନ। ୧୯୩୬ରେ ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଅନେକ ବାମପନ୍ଥୀଙ୍କ ଉଦ୍ୟମରେ ଓଡ଼ିଶାରେ ବିଧିବଦ୍ଧ ଭାବେ ଗଠନ ହେଲା କମ୍ୟୁନିଷ୍ଟ ଦଳ। ମଠ ଧନ – କୋଠ ହେଉ, ଲଙ୍ଗଳ ଯା’ର ଜମି ତା’ର ଇତ୍ୟାଦି ଦାବି ନେଇ ସମ୍ପାଦକ ଭଗବତୀ ଚରଣଙ୍କ ନେତୃତ୍ୱରେ ବ୍ୟାପକ ହେଲା କମ୍ୟୁନିଷ୍ଟ ଆନ୍ଦୋଳନ ।
ଭଗବତୀ ଚରଣ ପାଣିଗ୍ରାହୀ ଥିଲେ କୃଷକ ଆନ୍ଦୋଳନରେ ଅନ୍ୟତମ କର୍ଣ୍ଣଧାର। ସାହୁକାର ଓ ଜମିଦାରମାନଙ୍କ ଦ୍ୱାରା ଶୋଷିତ ଚାଷୀମୂଲିଆଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ସେ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଗଠନ କରିଥିଲେ କୃଷକ ସଂଗଠନ। କୃଷକମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ତାଙ୍କ ସଂପାଦନାରେ ପ୍ରକାଶ ପାଉଥିଲା ‘କୃଷକ’ ନାମରେ ଏକ ପତ୍ରିକା। ଏହା ଚାଷୀ ମୂଲିଆଙ୍କ ଭିତରେ ଯେତିକି ଜାଗରଣ ସୃଷ୍ଟି କରିଥିଲା, ସେତିକି ଆତଙ୍କ ଖେଳାଇ ଦେଇଥିଲା ସାମନ୍ତବାଦୀ ଶିବିରରେ। ଓଡ଼ିଶାରେ କମୁନିଷ୍ଟ ଦଳ ପ୍ରତିଷ୍ଠା ପରେ ସବୁଠାରୁ ବଡ଼ ଘଟଣାଥିଲା ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ। ଢେଙ୍କାନାଳ ରାଜାଙ୍କ ଅନ୍ଧାରି ଶାସନ ବିରୋଧରେ ଯେଉଁ ଗଣ ଆନ୍ଦୋଳନ ହୋଇଥିଲା ସେ ଆନ୍ଦୋଳନରେ ସାମିଲ ହୋଇ ଶହୀଦ ହେଲେ ବାରବର୍ଷର ବାଳକ ବାଜି ରାଉତ ଓ ଅନେକ ନିରୀହ ମଣିଷ। ଢେଙ୍କାନାଳ ଗୁଳିକାଣ୍ଡ ପ୍ରତିବାଦରେ କଟକ ଟାଉନ ହଲ୍‌ରେ ପ୍ରାଣନାଥ ପଟ୍ଟନାୟକ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଲା ଏବଂ ସଭାର ନିଷ୍ପତ୍ତିକ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଲେ ଭଗବତୀଚରଣ ପାଣିଗ୍ରାହୀ। ସେଠାକାର ପ୍ରଜାମାନଙ୍କୁ ଅଧିକ ସଂଘଟିତ କରି ବେଠି ବେଗାରି ବିରୋଧରେ ଚଳାଇଲେ ଆଇନ ଅମାନ୍ୟ ଆନ୍ଦୋଳନ। ଏଥିପାଇଁ ସେ କାରାବରଣ କରିଛନ୍ତି, ଅତ୍ୟାଚାର ସହିଛନ୍ତି, ମାତ୍ର ବିପ୍ଳବର ପଥ ପରିହାର କରି ନାହାନ୍ତି ଗୁଳିଗୋଳା ଭୟରେ।
ବ୍ୟକ୍ତିଗତ ଭାବେ ଭଗବତୀ ଚରଣ ଥିଲେ ଜଣେ ବନ୍ଧୁବତ୍ସଳ ମଣିଷ ଏବଂ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧୀ। ବ୍ରାହ୍ମଣ କୁଳରେ ଜନ୍ମହୋଇ ମଧ୍ୟ ସେ ପୂଜାପାଠର ବିରୋଧୀ ଥିଲେ ଏବଂ ମାନବ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି କହୁଥିଲେ ଧର୍ମ, ଈଶ୍ୱର ଓ ବାହ୍ୟପୂଜା ହେଉଛି ଅଜ୍ଞାନ ଲୋକଙ୍କ ପାଇଁ ନିଶା, ନିଃଶ୍ୱାସ ଓ ଅଫିମ। ଏହାଦ୍ୱାରା ସମାଜରେ ବୃଦ୍ଧିପାଏ ଶୋଷଣ ଓ ଅନ୍ୟାୟ। ଭଗବତୀଙ୍କର ଏହି ବାସ୍ତବବାଦୀ ବିଚାରଧାରା ପାଇଁ ତାଙ୍କୁ କିଛି ଲୋକ ନାସ୍ତିକ ଓ ଧର୍ମଛଡ଼ା କହୁଥିଲେ ସତ, କିନ୍ତୁ ଅନେକ ଲୋକ ତାଙ୍କୁ ଫୁଲମାଳ ପିନ୍ଧାଉଥିଲେ ଶ୍ରଦ୍ଧା ଓ ଭକ୍ତିରେ।
ଅବସରପ୍ରାପ୍ତ ଅଧ୍ୟକ୍ଷ,ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri