ଜାନୁୟାରୀରୁ ଚାଲିବ ଭଦ୍ରକ-ପୁରୀ ପାସେଞ୍ଜର

ଭଦ୍ରକ ଅଫିସ, ୮ା୧୨: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ବିଭିନ୍ନ ଷ୍ଟେଶନ କାର୍ଯ୍ୟର ଅଗ୍ରଗତି ବାବଦରେ ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟାଳୟଠାରେ ଜେନେରାଲ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହ ବୁଧବାର ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଆଲୋଚନା କରିଛନ୍ତି। ଜାନୁଆରୀ ମାସର ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ପରେ ଭଦ୍ରକରୁ ପୁରୀ ପାସେଞ୍ଜର ଟ୍ରେନ୍‌ ଚାଲୁ ହେବ। ସମସ୍ତ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ପ୍ରତିଶ୍ରୁତି ଦେଇଥିଲେ।

ସମୀକ୍ଷା ବୈଠକରେ ଭଦ୍ରକ, ବାଉଦପୁର, କେନ୍ଦୁଆପଦା, ମଞ୍ଜୁରୀରୋଡ଼, କପାଳି ରୋଡ଼ ରେଳଷ୍ଟେଶନର ଉନ୍ନତିକରଣ, ଭଦ୍ରକ ରେଳଷ୍ଟେଶନକୁ ଅତ୍ୟାଧୁନିକମାନରେ ନିର୍ମାଣ, ଭଦ୍ରକ-ପୁରୀ ନୂତନ ପାସେଞ୍ଜର ଟ୍ରେନ ଚଳାଚଳର ଶୁଭାରମ୍ଭ, ଅନୁମୋଦନ ଲାଭ କରିଥିବା ଭଦ୍ରକ ଏଲ୍‌ସି ଗେଟ ନଂ. ୧୧୯ର ଅଗ୍ରଗତି ଓ ଏଲ୍‌ସି ଗେଟ ନଂ. ୧୧୮, କେନ୍ଦୁଆପଦା ଏଲ୍‌ସି ଗେଟ ନଂ. ୧୨୪ ଓ ୧୨୫, ମଞ୍ଜୁରୀରୋଡ଼ ଏଲସି ଗେଟ ନଂ. ୧୨୯ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିସ୍ତୁତ ଆଲୋଚନା କରାଯାଇଥିଲା। ସେହିପରି ବିଭିନ୍ନ ଷ୍ଟେଶନରେ ଦ୍ରୁତଗାମୀ ରେଳ ରହଣି, ଧାମରାକୁ ପାସେଞ୍ଜର ଟ୍ରେନ ଏବଂ ଯାଜପୁର ରୋଡ୍‌ଠାରୁ ଧାମରା ବନ୍ଦର ଭାୟା ବିରଜାପୀଠ ଓ ଆଖଣ୍ଡଳମଣି ପୀଠ ଦେଇ ନୂଆ ରେଳ ଲାଇନ୍‌ ନିର୍ମାଣ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଖୋର୍ଦ୍ଧା ରୋଡ଼ ଡିଭିଜନ ଉପଭୋକ୍ତା କମିଟିର ସଦସ୍ୟ ଶିଶିର ମିଶ୍ର ଉପସ୍ଥିତ ଥିଲେ।