ଫଟୋ, ବ୍ୟାନର ଓ ପ୍ରତିମୂର୍ତ୍ତି ଅନ୍ତରାଳେ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଜନେତାମାନଙ୍କର ବ୍ୟାନର ଉପଯୋଗ, ନିଜ ନାମ ଖୋଦିତ ଫଳକ ସ୍ଥାପନ ଓ ନିଜର ପ୍ରତିମୂର୍ତ୍ତି ନିର୍ମାଣ ଦେଖିଲେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର କବିତା ‘ପେପର ବୋଟ୍‌ସ’ ମନେ ପଡ଼ିଯାଏ। ଛୋଟପିଲାଟିଏ କାଗଜଡଙ୍ଗା ତିଆରି କରି ଝରଣାରେ ସେଗୁଡ଼ିକୁ ଭସାଇଦିଏ। ଆକାଶରେ ଭାସୁଥିବା ମେଘଖଣ୍ଡଗୁଡ଼ିକୁ ଦେଖି ସେ ଭାବେ ବୋଧହୁଏ କେହି ଜଣେ ପ୍ରତିଯୋଗୀ ତା’ର ଭାସମାନ କାଗଜଡଙ୍ଗା ସହ ପ୍ରତିଯୋଗିତା କରିବା ପାଇଁ ଆକାଶରେ ମେଘଖଣ୍ଡଗୁଡ଼ିକୁ ଭସାଇଦେଇଛି। କାଗଜଡଙ୍ଗାଗୁଡ଼ିକୁ ଝରଣାରେ ଭସାଇବା ପୂର୍ବରୁ ସେ ନିଜ ନାମ ଓ ଠିକଣା ସେଗୁଡ଼ିକ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖିଦିଏ। ସେ ଭାବେ କୌଣସି ନା କୌଣସି ସ୍ଥାନରେ କେହି ଜଣେ ସେ ଡଙ୍ଗା ପାଇବ ଓ ତା’ ଉପରେ ଲେଖାଥିବା ଅକ୍ଷର ପଢ଼ି ତାକୁ ଚିହ୍ନିବ ଓ ଜାଣିବ। ମାତ୍ର ପିଲାଟି ଧାରଣା କରିପାରେ ନାହିଁ ଯେ ଝରଣା ଜଳରେ କିଛି ସମୟ ଭାସିବା ପରେ କାଳିରେ ଲେଖାହୋଇଥିବା ତା’ର ନାମ ଓ ଠିକଣା ଲିଭିଯାଇଥିବ ବା କାଗଜଡଙ୍ଗାଗୁଡ଼ିକ ନଷ୍ଟ ହୋଇଯାଇଥିବ। କେହି ତାକୁ ଚିହ୍ନିବେ ନାହିଁ କି ଜାଣିବେ ନାହିଁ।
କିଛିଦିନ ହେବ, ଭାରତରେ କୋଭିଡ୍‌ ଟିକାକରଣ କ୍ଷେତ୍ରରେ ରାଜନୈତିକ ନେତାମାନଙ୍କ ମଧ୍ୟରେ ଫଟୋ, ବ୍ୟାନରକୁ ନେଇ ତର୍କବିତର୍କ ଓ ବିବାଦ ମୁଣ୍ଡ ଟେକିଛି। କେତେକ ନେତା କହୁଛନ୍ତି, ଟିକାକରଣ ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଅସଙ୍ଗତ ନୁହେଁ। ଆଉ କିଛି ନେତା କହୁଛନ୍ତି, ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ପାଦିତ ହେଉଥିବାରୁ ଟିକାକରଣ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଯୁକ୍ତ ବ୍ୟାନର ଲଗାଯିବା ଅଯୌକ୍ତିକ ନୁହେଁ। କିଏ ଠିକ୍‌ କହୁଛନ୍ତି, କିଏ ଭୁଲ୍‌ କହୁଛନ୍ତି ତାକୁ ତର୍ଜମାକରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ। ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ଏହାରି ପଛରେ ପ୍ରଚ୍ଛନ୍ନ ରହିଛି ସେହି କାଗଜଡଙ୍ଗା ଭସାଉଥିବା ପିଲାର ଭାବନା- କାଗଜଡଙ୍ଗା ଉପରେ ଲେଖା ହୋଇଥିବା ନାମ ଓ ଠିକଣା ପଢ଼ି ତାକୁ ଅନ୍ୟମାନେ ଜାଣିବେ। ଆତ୍ମପ୍ରଶଂସା ସାଉଁଟିବା ଓ ଜନମାନସରେ ଦୀର୍ଘଦିନ ବଞ୍ଚିରହିବା ଆକାଂକ୍ଷା ହେଉଛି ଫଳକ ସ୍ଥାପନ କରିବା, ବ୍ୟାନର ଲଗାଇବା ବା ନିଜର ପ୍ରତିମୂର୍ତ୍ତି ସ୍ଥାପନ କରିବାର ଉଦ୍ଦେଶ୍ୟ।
ଆଜି କୋଭିଡ୍‌ ଟିକା ସାର୍ଟିଫିକେଟରେ ଓ ଟିକାକରଣ କେନ୍ଦ୍ରରେ ବ୍ୟାନରରେ ଫଟୋ ସୂଚାଉଛି ଯେ ଉଭୟ ସରକାର ଏହାର ଶ୍ରେୟ ନେବାକୁ ଚାହୁଁଛନ୍ତି। ବିଡ଼ମ୍ବନାର ବିଷୟ ଯେ ଏହି ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ କାହାରି ଅର୍ଥ ନୁହେଁ, ଏହା ଜନସାଧାରଣଙ୍କଠାରୁ ସଂଗୃହୀତ ହେଉଥିବା ରାଜସ୍ବ। ଯେଉଁମାନେ ଜନହିତକର କାର୍ଯ୍ୟକରି ନିଜ ନାମ ଖୋଦିତ ଫଳକ ବା ବ୍ୟାନର ଲଗାଉଛନ୍ତି ଓ ନିଜର ପ୍ରତିମୂର୍ତ୍ତି ନିର୍ମାଣ କରି ଜନମାନସରେ ଚିରଦିନ ବଞ୍ଚିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଇଂରେଜ କବି ଶେଲିଙ୍କ କବିତା ଓଜିମାଣ୍ଡିଅସ୍‌ ମନେପକାଇ ଦିଆଯାଇପାରେ। ମିଶରୀୟ ରାଜା ଓଜିମାଣ୍ଡିଅସ୍‌ ମରୁଭୂମିରେ ନିଜର ଏକ ପ୍ରକାଣ୍ଡ ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ। ପ୍ରତିମୂର୍ତ୍ତିଟିର ପାଦପୀଠରେ ସେ ଖୋଦିତ କରାଇଥିଲେ- ”ମୁଁ ଓଜିମାଣ୍ଡିଆସ୍‌ ରାଜାମାନଙ୍କର ରାଜା। ହେ ଶକ୍ତିଶାଳୀ ବୀରମାନେ! ମୋର କୃତିତ୍ୱକୁ ଦେଖ ଓ ମୋ ସଙ୍ଗେ ସମାନ ପରିଗଣିତ ହେବାର ଆଶା ପରିତ୍ୟାଗ କର।“ କିନ୍ତୁ ଆଜି ଆଉ ସେହି ମୂର୍ତ୍ତି ଅକ୍ଷତ ଅବସ୍ଥାରେ ନାହିଁ। ପାଦପୀଠ ଉପରେ ଛିଡ଼ା ହୋଇରହିଛି ମୂର୍ତ୍ତିର ଦୁଇଟି ପ୍ରକାଣ୍ଡ ଗୋଡ଼। ମୂର୍ତ୍ତିର ଅନ୍ୟଅଂଶ ଧ୍ୱଂସ ହୋଇଯାଇଛି। ମରୁଭୂମିର ବାଲି ମଧ୍ୟରେ ଅର୍ଦ୍ଧ ଅନାବୃତ୍ତ ହୋଇ ପଡ଼ିରହିଛି ମୂର୍ତ୍ତିର ଭଗ୍ନ ମୁହଁ। ବିଡ଼ମ୍ବନାର ବିଷୟ ଯେ କାରିଗରର କଳାକୌଶଳ ଯୋଗୁ ସେହି ମୁହଁରେ ଏବେ ବି ପ୍ରତିଫଳିତ ହେଉଛି ଔଦ୍ଧତ୍ୟର ଅଭିବ୍ୟକ୍ତି। କିନ୍ତୁ ମୂର୍ତ୍ତିର ଭଗ୍ନାବଶେଷକୁ ଦେଖିଲେ ସ୍ବୀକାର କରିବାକୁ ହୁଏ ଯେ ଅନେକ କୃତିତ୍ୱର ଅଧିକାରୀ ରାଜା ଓଜିମାଣ୍ଡିଆସ୍‌ଙ୍କ ଫଳକ ସହ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଅମର ରହିବାର ପ୍ରଚେଷ୍ଟା ଆଜି ପରାହତ ହୋଇଛି।
ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଓ ଜନମାନସରେ ଦୀର୍ଘଦିନ ବଞ୍ଚିରହିବା ନିମନ୍ତେ ନିଜର ପ୍ରତିମୂର୍ତ୍ତି ନିର୍ମାଣ କରାଇବା (ମାୟାବତୀଙ୍କ ଭଳି) ନୂଆ କଥା ନୁହେଁ। ଗତ ଶତାବ୍ଦୀର ସତୁରି ଦଶକଠାରୁ ଏହି ବ୍ୟାଧି ଦ୍ୱାରା ନେତାମାନେ ଆକ୍ରାନ୍ତ ହେଲେଣି। ସେଥିପାଇଁ ବିଶିଷ୍ଟ ଲେଖକ ମନୋଜ ଦାସ ଲେଖିଥିଲେ କ୍ଷୁଦ୍ରଗଳ୍ପ ‘ଷ୍ଟାଚ୍ୟୁ’। ସନ୍ତ୍ରାସବାଦୀମାନେ ଜାତୀୟସ୍ତରୀୟ ନେତାମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗୁଥାନ୍ତି। ସହରର ତଥାକଥିତ ସୁପରିଚିତ ନେତା ଥିଲେ ଯମେଶ୍ୱର ଗୁପ୍ତ। ସେ ନଗରପାଳ ଥିବା ସମୟରେ ନିଜର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଇଥାନ୍ତି। ସେ ନିଜକୁ ଗୁପ୍ତବାବୁଙ୍କ ଅନୁଗତ ଭାବରେ ପରିଚୟ ଦେଇ ସହରର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପଚାରିଲେ, ସେ ଗୁପ୍ତଜୀଙ୍କ ପ୍ରତିମୂର୍ତ୍ତିକୁ ସନ୍ତ୍ରାସବାଦୀଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ କି ପଦକ୍ଷେପ ନେଇଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ ତାଙ୍କୁ ଜାଣନ୍ତି ନାହିଁ କୁହନ୍ତେ ଗୁପ୍ତବାବୁ ଆଶ୍ଚର୍ଯ୍ୟ ହେଲେ, କାରଣ ମାତ୍ର କୋଡ଼ିଏ ବର୍ଷ ତଳେ ସେ ଥିଲେ ଏ ସହରର ଅପ୍ରତିଦ୍ୱନ୍ଦ୍ୱୀ ନେତା। ସ୍ଥାନୀୟ କର୍ମକର୍ତ୍ତା ନିର୍ବାଚିତ ହେଉଥିଲେ ତାଙ୍କ ଇଙ୍ଗିତରେ। ତାଙ୍କ ଆଶୀର୍ବାଦ ବିନା ସହରରୁ ବିଧାନସଭାକୁ କେହି ନିର୍ବାଚିତ ହେବା ସମ୍ଭବପର ନ ଥିଲା। ସେ ଥିଲେ ନଗରପାଳ। ଅଥଚ ଆଜି ତାଙ୍କୁ ସହରର ଉଚ୍ଚପଦସ୍ଥ ଅଫିସରମାନେ ଚିହ୍ନନ୍ତି ନାହିଁ। ଶେଷରେ ସେ ବିଭାଗୀୟ ମନ୍ତ୍ରୀଙ୍କ ସହ ଫୋନରେ ସଂଯୋଗ ସ୍ଥାପନ କରି ପଚାରିଲେ ତାଙ୍କ ପ୍ରତିମୂର୍ତ୍ତିକୁ ସନ୍ତ୍ରାସବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ କି ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ କହିଲେ, ”ଶୁଣ ବାବୁ, ଗୁପ୍ତଜୀଙ୍କ ଷ୍ଟାଚ୍ୟୁକୁ କେହି ଭାଙ୍ଗିବେ ନାହିଁ। ସେମାନେ ବଡ଼ ବଡ଼ ଜାତୀୟ ନେତାଙ୍କ ଷ୍ଟାଚ୍ୟୁ ଭାଙ୍ଗୁଛନ୍ତି।“
ନିଜର ପ୍ରତିମୂର୍ତ୍ତି ନିର୍ମାଣ କରାଇଥିବା ଗୁପ୍ତବାବୁଙ୍କ ମୋହ ଭଙ୍ଗ ହେଲା। ସେ ଜାଣିଲେ ଯେ ସେ ଜାତୀୟସ୍ତରର ନେତା ଭାବରେ ସ୍ବୀକୃତ ହୋଇନାହାନ୍ତି। ସେ ପୁଣି ଥରେ ବିସ୍ମିତ ହେଲେ କାରଣ ଆଜିର ଏହି ମନ୍ତ୍ରୀ କୋଡ଼ିଏ ବର୍ଷ ତଳେ ହୁଏତ ତାଙ୍କ ସଭା ପାଇଁ ଗଳା ଫଟାଇ ଚୁଙ୍ଗାରେ ପ୍ରଚାର କରିଥିବ। କୌଣସି ଛାତ୍ର ସଭାରେ ପଚିଶଥର ଛେପ ଢୋକି ତାଙ୍କୁ ସ୍ବାଗତ କରିଥିବ। ଅଥଚ ଆଜି ସେ ଜଣେ ଅବହେଳିତ ନେତା। ସେ ମନେ ପକାଉଥାନ୍ତି ଦିନେ ସେ ମହାତ୍ମା ଗାନ୍ଧୀଙ୍କ ପାଖରେ ବସିବାର ସୁଯୋଗ ପାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗଳାରେ ଭୀମକାୟ ଫୁଲମାଳା ପିନ୍ଧାଇଥିଲେ। ତାଙ୍କ ଭାଷଣ ଖବରକାଗଜରେ ହେଡଲାଇନ ହେଉଥିଲା। ଅଥଚ ଆଜି ତାଙ୍କୁ କେହି ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ। ହଠାତ୍‌ ସେ ଚାରିଜଣ ଯୁବକ ଷ୍ଟାଚ୍ୟୁ ପାଖକୁ ଆସୁଥିବାର ଦେଖି ଆହ୍ଲାଦିତ ହେଲେ। କାରଣ ସେ ଭାବୁଥିଲେ ଏମାନେ ବୋଧହୁଏ ସନ୍ତ୍ରାସବାଦୀ ଓ ତାଙ୍କର ଷ୍ଟାଚ୍ୟୁକୁ ଧ୍ୱଂସ କରି ତାଙ୍କୁ ସେ ଜାତୀୟ ସ୍ତରୀୟ ନେତାର ମାନ୍ୟତା ଦେବେ। ମାତ୍ର ଜଣେ ପ୍ରତିମୂର୍ତ୍ତି ଉପରକୁ ଉଠି ତା’ର କାନ୍ଧରେ ଛିଡ଼ା ହୋଇ ଦୂରବୀକ୍ଷଣ ଯନ୍ତ୍ର ଲଗାଇ ବ୍ୟାଙ୍କ କୋଠା ପାଚେରି ଭିତରକୁ ଅନାଇଲା। ସେ ନ ଥିଲା ସନ୍ତ୍ରାସବାଦୀ, ବୋଧହୁଏ ଥିଲା ଜଣେ ବ୍ୟାଙ୍କ ଡକାୟତ। ତା’ପରେ ସେ ଷ୍ଟାଚ୍ୟୁରୁ ଓହ୍ଲାଇ ଚାଲିଯାଉଥିବାବେଳେ ଗୁପ୍ତଜୀ କହିଲେ, ”ରୁହ, ତୁମେ ଭାବିଛ ଭାଙ୍ଗିବା ଭଳି ଷ୍ଟାଚ୍ୟୁ ଏହା ନୁହେଁ? ମୂର୍ଖ, ଏ ଷ୍ଟାଚ୍ୟୁ, କ’ଣ ଖାଲି ପାଦଦାନି?“ ଏହା ଶୁଣି ଗୁପ୍ତଜୀଙ୍କୁ ଲକ୍ଷ୍ୟ କରି ସେମାନେ ବୋମାଟିଏ ଫୋପାଡ଼ି ଦିଅନ୍ତେ ତାହା ଷ୍ଟାଚ୍ୟୁ ପାଦଦେଶରେ ପଡ଼ି ବିସ୍ଫୋରଣ ହେଲା। ଷ୍ଟାଚ୍ୟୁଟି ଖଣ୍ଡବିଖଣ୍ଡିତ ହୋଇଗଲା। ମନୋଜ ଦାସଙ୍କ ଭାଷାରେ ”ପରବର୍ତ୍ତୀ ଷ୍ଟାଚ୍ୟୁହୀନ ଜୀବନରେ ଗୁପ୍ତଜୀ ଶାନ୍ତିରେ ଅଛନ୍ତି। ସେ ଆଜିକାଲି ବହୁତ ହସନ୍ତି।“ ଗୁପ୍ତଜୀ ଭାବିଥିଲେ ତାଙ୍କ କୃତିତ୍ୱ ପାଇଁ ଲୋକେ ତାଙ୍କୁ ଦୀର୍ଘକାଳ ମନେରଖିବେ। ମାତ୍ର କୋଡ଼ିଏ ବର୍ଷରେ ସେ ବିସ୍ମୃତ ହୋଇଗଲେ। କେତେ ବଡ଼ବଡ଼ ନେତା ବିସ୍ମୃତି ଗର୍ଭକୁ ଚାଲିଗଲେଣି। ଏବେ ଗାନ୍ଧୀ, ଶାସ୍ତ୍ରୀ, ଗୋପବନ୍ଧୁଙ୍କ କଥା ବି ଲୋକେ ଭୁଲି ବସିଲେଣି। ମଣିଷର ସ୍ମୃତି ଅତ୍ୟନ୍ତ ଦୁର୍ବଳ। ଏବେକାର ନେତାଙ୍କ କଥା ନ କହିବା ଭଲ। ତା’ ସତ୍ତ୍ୱେ କେଉଁଠି ପୋଲଟିଏ ବା ସ୍କୁଲଘରଟିଏ ବା କ୍ଲବଟିଏ ନିର୍ମିତ ହେଲେ ବ୍ୟାନର ଲଗାଇବା ବା ନାମ ଖୋଦିତ ଫଳକ ଖଞ୍ଜିବା ବନ୍ଦ ହୋଇ ନାହିଁ। କାଗଜଡଙ୍ଗା ଉପରେ ଲେଖା ହୋଇଥିବା ପିଲାଟିର ନାମ ଓ ଠିକଣା ଝରଣାର ସୁଅରେ ଲିଭିଯାଇଥିବା ଭଳି ଏହିସବୁ ଫଟୋ, ଫଳକ ଓ ପ୍ରତିମୂର୍ତ୍ତି ସମୟର କରାଳ ସ୍ରୋତରେ ଦିନେ ନିଶ୍ଚିହ୍ନ ହୋଇଯିବ। ଏହା ହିଁ ଜୀବନର ବାସ୍ତବତା।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri