ବଡ଼ଗାଁ, ୨/୧୧ (ଅଶୋକ ଷଡ଼ଙ୍ଗୀ): ପ୍ରାଣୀଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ। କୁକୁର ଏକ ବିଶ୍ୱସ୍ତ ଓ ଗୃହପାଳିତ ପ୍ରାଣୀ। ନିଜ ଜୀବନକୁ ବିପଦରେ ପକାଇ ମାଲିକ ଓ ତାଙ୍କ ପରିବାରର ଜୀବନ ରକ୍ଷା କରିବାର ଅନେକ ଉଦାହରଣ ରହିଛି। ହେଲେ ନିଜ ସ୍ୱାର୍ଥ ଓ ସୁବିଧା ପାଇଁ ମଣିଷ କେତେ ନିଷ୍ଠୁର ହୋଇପାରେ, ତାହାର ଏକ ଉଦାହରଣ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଗତ ୧୫ ଦିନ ହେଲା ଟିକିଲିପଡ଼ା ଗାଁ ନିକଟ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ ବନ୍ଦ ଝାଟିମାଟି ଦୋକାନ ଘରେ ଜର୍ମାନ ସେଫାର୍ଡ ପ୍ରଜାତିର ଏକ କୁକୁର ପଡ଼ିରହିଛି। ଅଭିଯୋଗ ଅନୁସାରେ, ଏହାର ମାଲିକ କୁକୁରଟିକୁ ସେଠାରେ ଛାଡ଼ି ଚାଲିଯାଇଛନ୍ତି। ସେହିଦିନଠାରୁ କୁକୁରଟି ସେହି କୁଡ଼ିଆରେ ରହି ମାଲିକଙ୍କ ଫେରିବା ବାଟକୁ ଚାହିଁ ବସିଛି।
ରାସ୍ତାରେ କେହି ଯାତାୟାତ କଲେ କୁକୁରଟି ଭୋକୁଛି, କିନ୍ତୁ କାହାର କ୍ଷତି କରୁନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାର ଅବସ୍ଥା ଦେଖି ଦୟାଳୁ ବ୍ୟକ୍ତି ଓ ପଶୁପ୍ରେମୀମାନେ ମର୍ମାହତ ହେଉଛନ୍ତି। ତେବେ କୁକୁରଟି ସ୍ୱଭାବଗତ କାରଣରୁ ଲୋକଙ୍କ ଆଡ଼କୁ ଗୋଡ଼ାଉଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଏଭଳି ସ୍ଥିତିରେ କୁକୁରଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବା ସହ ତା’ର ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଧିବାସୀମାନେ ପ୍ରଶାସନକୁ ନିବେଦନ କରିଛନ୍ତି।