ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା ଦାଶଙ୍କ ୨୪ ବର୍ଷୀୟ ପୁଅ ବିଶ୍ୱଜିତ ଦାଶ। ମହାକାଶ ବିଷୟରେ ଜାଣିବା ଓ ଶିଖିବାର ପ୍ରବଳ ଇଚ୍ଛାଶକ୍ତି ବଳରେ ସେ ଆଜି ଭାରତର ହାତଗଣତି ମହାକାଶ ସମ୍ବନ୍ଧୀୟ ଉଦ୍ୟୋଗପତିଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଛନ୍ତି। ଗୋଳାବନ୍ଧ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରିବା ପରେ ସେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ (ଆର୍କିଟେକ୍ଚର)ରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପିଲାଟି ଦିନରୁ ମହାକାଶ ପ୍ରତି ଦୁର୍ବଳତା ଥିବାରୁ ନିଜ ପାଠ୍ୟକ୍ରମର ଶେଷ ବର୍ଷରେ ସେ ମହାକାଶ ଯାନର ଆର୍କିଟେକ୍ଚର ବିଷୟରେ ଗବେଷଣା କରିବାର ସୁଯୋଗ ପାଇଥିଲେ।
ପରବର୍ତ୍ତୀ ସମୟରେ ଇସ୍ରୋ ଅଧୀନରେ ‘ସ୍ପେସ ଟ୍ୟୁଟର’ ଜରିଆରେ ସେ ନିଜର ଷ୍ଟାର୍ଟଅପ୍ ‘ଆର୍କାଷା’ ଆରମ୍ଭ କରିଥିଲେ। ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗକୁ ୨୦୨୪ରେ ଇସ୍ରୋ ପକ୍ଷରୁ ଆନୁଷ୍ଠାନିକ ମାନ୍ୟତା ମିଳିଛି। ଏହି ପ୍ରକଳ୍ପର ବିଶ୍ୱଜିତ ପ୍ରତିଷ୍ଠାତା ଥିବା ବେଳେ ତାଙ୍କ ସହ ଜଣେ ସହ-ପ୍ରତିଷ୍ଠାତା ଏବଂ ସମାନ ଚିନ୍ତାଧାରା ଥିବା ଯୁବପିଢ଼ିଙ୍କୁ ନେଇ ଏକ ବହୁମୁଖୀ ଟିମ୍ ଗଠନ କରାଯାଇଛି। ଭାରତରେ ସମ୍ପୂର୍ଣ୍ଣ ନୂଆ ଥିବା ଏହି ପ୍ଲାଟଫର୍ମ ଜରିଆରେ ମହାକାଶଚାରୀଙ୍କ ପାଇଁ ସୁରକ୍ଷିତ ବାତାବରଣ, ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଏବଂ ମହାକାଶଚାରୀ ଉପଯୋଗୀ କ୍ୟାପସୁଲ ନିର୍ମାଣ ନେଇ ଗବେଷଣା ଚାଲିଛି। ନିକଟରେ ପୋଲାଣ୍ଡରେ ଅନୁଷ୍ଠିତ ‘ଅଲ୍ ଇଣ୍ଡିଆ କ୍ରିୟୁଡ୍ ମିସନ୍’ରେ ବିଶ୍ୱଜିତ ୭ ଜଣିଆ ଟିମର ସଫଳ ନେତୃତ୍ୱ ନେଇଥିଲେ। ସେଠାରେ ଏକ ମାସର ଆଇସୋଲେସନ କାର୍ଯ୍ୟକ୍ରମ ଏବଂ ମହାକାଶରେ ମହାକାଶଚାରୀଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଜାଣିବା ପାଇଁ ଏହି ଗସ୍ତ ଅନେକ ସହାୟକ ହୋଇଥିବା ବିଶ୍ୱଜିତ ପ୍ରକାଶ କରିଛନ୍ତି।