ଭଞ୍ଜନଗରରେ ବନ୍ୟା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଆରଡିସି ବିଜୟ ଅମୃତା କୁଲାଙ୍ଗେ; ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ…

ଭଞ୍ଜନଗର୧୨।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଗତ ୨୮ ଓ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ବ୍ରହ୍ମପୁର ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି) ବିଜୟ ଅମୃତା କୁଲାଙ୍ଗେ। ଗୁରୁବାର ସେ ଭଞ୍ଜନଗର ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବିପର୍ଯ୍ୟୟ ପରବର୍ତ୍ତୀ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ ଓ ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଭଞ୍ଜନଗର ସମ୍ମିଳିତ ବନ ପରିବାର ପକ୍ଷରୁ ଏକ ମହତ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିବର୍ଷ ଧୁମଧାମରେ କାଳୀପୂଜା ପାଳନ କରୁଥିବା ବନ ପରିବାର ଚଳିତ ବର୍ଷ ବନ୍ୟା ବିପତ୍ତି ଯୋଗୁଁ ନିରାଡମ୍ବର ଭାବେ ପୂଜା ପାଳନ କରି ବଳକା ଅର୍ଥରେ ବିପନ୍ନଙ୍କୁ ସହାୟତା କରିଛନ୍ତି। ଗୁରୁବାର ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ଉପସ୍ଥିତିରେ ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ବାଉଁଶଲୁଣ୍ଡି ଓ ଗମ୍ଭାରୀଗୋଛା ଗ୍ରାମର ଶତାଧିକ ପରିବାରକୁ ବାସନକୁସନ ଓ କମ୍ବଳ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି। ବନ ବିଭାଗର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।

ସେହିପରି ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବାଉଁଶଲୁଣ୍ଡି ମଶାଣି ସାହିବାସୀଙ୍କୁ ପୂର୍ବରୁ ଭଞ୍ଜନଗର ପୋଲିସ ପକ୍ଷରୁ ପରିବାର ପିଛା ୧୦ ହଜାର ଟଙ୍କା, ମ୍ୟୁନିସିପାଲିଟି ପକ୍ଷରୁ ୨ ହଜାର ଟଙ୍କା ସହ ରନ୍ଧାଖାଦ୍ୟ ଏବଂ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ତେବେ ସରକାରଙ୍କ ଘୋଷଣା ମୁତାବକ ପ୍ରତି ବିପନ୍ନ ପରିବାରକୁ ମିଳିବାକୁ ଥିବା ଏକ ବସ୍ତା ଚାଉଳ ଓ ୨୫୦୦ ଟଙ୍କା ଆଜି ପର୍ଯ୍ୟନ୍ତ ମଶାଣି ସାହିରେ ପହଞ୍ଚି ପାରିନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏ ସମ୍ପର୍କରେ ଭଞ୍ଜନଗର ବିଡିଓ ଭାରତୀ ଦେବୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ବନ୍ୟା ଯୋଗୁ ବାଉଁଶଲୁଣ୍ଡି ପଞ୍ଚାୟତ ଗୋଦାମ ଗୃହ କ୍ଷତିଗ୍ରସ୍ତ ହେବା ସହ ସେଠାରେ ମହଜୁଦ୍ ଥିବା ଚାଉଳ ନଷ୍ଟ ହୋଇଯାଇଥିଲା। ଗୁରୁବାର ନଷ୍ଟ ଚାଉଳକୁ ଗୋଦାମରୁ ବାହାର କରାଯାଇଛି ଏବଂ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ନୂଆ ଚାଉଳ ପହଞ୍ଚିବା ପରେ ମଶାଣି ସାହିରେ ବଣ୍ଟନ କରାଯିବ। ପଞ୍ଚାୟତର ଅନ୍ୟ ଗ୍ରାମଗୁଡ଼ିକରେ ଗତ ୩ ଦିନ ହେବ ଚାଉଳ ବଣ୍ଟନ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share