ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଅଦ୍ୱିତୀୟ: ଖେମୁଣ୍ଡି କଲେଜ ଉତ୍ସବରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ…

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବ୍ରହ୍ମପୁର MP ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଅଦ୍ୱିତୀୟ ଏବଂ ଏହା ଆମକୁ ପ୍ରଭୂତ ଅଧିକାର ଦେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ସଦା ସର୍ବଦା ସମ୍ବିଧାନର ମୁଖବନ୍ଧ ପଢ଼ିବା ସହ ତାକୁ ଯଥୋଚିତ ସମ୍ମାନ ଦେବା ଆବଶ୍ୟକ ବୋଲି MP ଡ. ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ।

ଗତ ଗୁରୁବାର ସମ୍ବିଧାନ ଦିବସ ଉପଲକ୍ଷେ କଲେଜ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପାଇଁ ଏହି ସଭା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ତଥା ଅଧ୍ୟାପକ କୈଳାସ ଦିୱାନ ସଂଯୋଜନା କରିଥିଲେ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆସିକା ବିଜ୍ଞାନ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ଅଭୟ କୁମାର ପରିଚ୍ଛା ପଟ୍ଟନାୟକ, ଖେମୁଣ୍ଡି କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ. ଅନିତା ପାଣି ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ଶେଷରେ ଇଂରାଜୀ ଅଧ୍ୟାପକ ଡ. ହର୍ଷ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ସଂସଦର ନିର୍ବାଚିତ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share