ଜେରୁଜେଲମ୍,୮।୧୧: ଇସ୍ରାଏଲ୍ ରାଜନୀତିରେ ବଡ଼ ରାଜନୈତିକ ହଲଚଲ୍ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟକା। ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ଆସନ ଖସିବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୨୭ରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଗାଦି ଆଇଜେନକୋଟ୍ଙ୍କ ନେତୃତ୍ୱାଧୀନ ମେଣ୍ଟ ୪୮ଟି ଆସନ ହାସଲ କରିଥିବା ଦାବି କରାଯାଇଛି । ଇସ୍ରାଏଲ୍ରେ ସରକାର ଗଢ଼ିବା ପାଇଁ ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ୬୧ଟି ଆସନର ଆବଶ୍ୟକତା ରହିଛି ।
ଏହି ସମୟରେ ଆରବ ଦଳଗୁଡ଼ିକ ଆଇଜେନକୋଟ୍ଙ୍କ ମେଣ୍ଟକୁ ୧୯ଟି ଆସନର ସମର୍ଥନ ଦେଇଛନ୍ତି । ଫଳରେ ମେଣ୍ଟର ସମର୍ଥନ ସଂଖ୍ୟା ୬୭ରେ ପହଞ୍ଚିଛି । ଏହାକୁ ଆଧାର କରି ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଆଇଜେନକୋଟ୍ଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା ଖବର ଆସିଛି। ଏହି ନିମନ୍ତ୍ରଣକୁ ସେ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ନୂଆ ସରକାର କେବେ ଗଠନ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନା ଅନୁସାରେ, ଆଇଜେନକୋଟ୍ଙ୍କ ମେଣ୍ଟକୁ ଆରବ ଦଳଗୁଡ଼ିକ କିଛି ସର୍ତ୍ତ ଆଧାରରେ ସମର୍ଥନ ଦେଇଛନ୍ତି । ପ୍ରଥମ ସର୍ତ୍ତ ହେଉଛି, ଇସ୍ରାଏଲ୍କୁ ଏକ ଇହୁଦୀ ରାଷ୍ଟ୍ର ଭାବେ ମାନ୍ୟତା ଦେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ଦେଶ ଚଳାଇବାକୁ ହେବ। ଦ୍ୱିତୀୟ ସର୍ତ୍ତ ଅନୁସାରେ, ହମାସ୍କୁ ଆତଙ୍କବାଦୀ ସଂଗଠନ ଭାବେ ଗ୍ରହଣ କରିବା ସହ ଏହାର ସାମରିକ ଶକ୍ତିକୁ ଶେଷ କରିବାକୁ ପଡ଼ିବ । ତୃତୀୟ ସର୍ତ୍ତ ହେଉଛି, ସେନାରେ ନିଯୁକ୍ତି ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବା ସହ ନାଗରିକଙ୍କ ଅଧିକାର ପାଇଁ ନିର୍ଦ୍ଧାରିତ ଆଚରଣ ସଂହିତା ପାଳନ କରିବାକୁ ହେବ । ଏହି ସର୍ତ୍ତଗୁଡ଼ିକ ଉପରେ ସହମତି ହେବା ପରେ ଆରବ ଦଳଗୁଡ଼ିକର ନେତାମାନେ ରାଷ୍ଟ୍ରପତି ହର୍ଜୋଗ୍ଙ୍କୁ ଭେଟି ଆଇଜେନକୋଟ୍ଙ୍କ ମେଣ୍ଟକୁ ସମର୍ଥନ ଜଣାଇଥିବା ଚିଠି ଦେଇଛନ୍ତି । ହଦାଶ, ତାଲ୍ ଓ ବାଲାଦ୍ ଏହି ଆରବ ଦଳଗୁଡ଼ିକ ମଧ୍ୟରେ ରହିଛନ୍ତି । ଅନ୍ୟପଟେ ରାଏମ୍ ଏହି ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲା।
ବେଞ୍ଜାମିନ୍ ନେତାନ୍ୟାହୁ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଲଗାତାର ୧୨ ବର୍ଷ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଥିଲେ । ୨୦୨୧ରେ ମେଣ୍ଟ ସରକାର ଭାଙ୍ଗିବା ପରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ଡିସେମ୍ବର ୨୦୨୨ରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ନିର୍ବାଚନରେ ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ୨୭ଟି ଆସନ ପାଇଥିବା ବେଳେ ତାଙ୍କ ଦଳକୁ ସମର୍ଥନ କରୁଥିବା ମେଣ୍ଟର ଆସନ ସଂଖ୍ୟା ୫୩ରେ ସୀମିତ ରହିଛି। ଫଳରେ ସରକାର ଗଠନ ପାଇଁ ଆବଶ୍ୟକ ୬୧ଟି ଆସନର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ତାଙ୍କ ମେଣ୍ଟ ବିଫଳ ହୋଇଛି।