ନନ୍ଦପୁର,୩୦ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପରଜା ବଡ଼ପଡ଼ା ପଞ୍ଚାୟତର ବୃଦ୍ଧା, ବୃଦ୍ଧ, ବିଧବା, ଅସହାୟମାନଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଟଙ୍କା ଉଠାଣ ଲାଗି ଜୋଲାପୁଟ ଜଳଭଣ୍ଡାର ପାର ହେବାକୁ ବିପଦସଙ୍କୁଳ ଅବସ୍ଥାରେ ଦେଶୀଡଙ୍ଗା ଯାତ୍ରା କରିବାକୁ ପଡୁଛି। ଏଭଳି ପରିବହନ ସମୟରେ ଡଙ୍ଗା ବୁଡ଼ି ଭଳି ଅଘଟଣ ଘଟି ବୃଦ୍ଧା ବୃଦ୍ଧ ମହିଳା ପୁରୁଷଙ୍କ ମୃତ୍ୟୁ ହେଉଛି। ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ। ଡାକ ସେବା ଆନିୟମିତ। ତେଣୁ ପଞ୍ଚାୟତର ହିତାଧିକାରୀ ଡଙ୍ଗାରେ ଜୋଲାପୁଟ ବ୍ୟାଙ୍କ ଓ ଡାକଘର, ୨୫ କିମି ଦୂର ବାଲଡ଼ା ଷ୍ଟେଟ୍ ବ୍ୟାଙ୍କ କିମ୍ବା ୧୭ କିମି ଦୂର ପାଡୁଆ ଉତ୍କଳ ବ୍ୟାଙ୍କ ଯାଇ ଭତ୍ତା ଟଙ୍କା ଉଠାଇ ଆଣିବାକୁ ପଡୁଛି। ତେଣୁ ସମସ୍ତ ଡିବିଟି ହିତାଧିକାରୀଙ୍କୁ ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରାଯାଉ ବୋଲି ସରପଞ୍ଚ ସୁବର୍ଣ୍ଣ ପୂଜାରୀ ହିତାଧିକାରୀଙ୍କ ସହ ଆସି ନନ୍ଦପୁର ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ପଞ୍ଚାୟତର ୨୪୨ ଭତ୍ତା ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩୩ ଜଣଙ୍କ ଭତ୍ତା ଡିବିଟି ମାଧ୍ୟମରେ ବ୍ୟାଙ୍କ ଓ ଡାକଘରକୁ ଯାଉଥିବା ବେଳେ ବଳକା ୧୦୯ ଜଣଙ୍କୁ ହାତରେ ନଗଦ ଭତ୍ତା ପ୍ରଦାନ କରାଯାଉଛି। ଜୋଲାପୁଟ ଡାକଘର ଅଧୀନରେ ପରଜା ବଡ଼ପଡ଼ା ପଞ୍ଚାୟତ ରହିଛି। ବ୍ଲକର ୨୩ ପଞ୍ଚାୟତ ମଧ୍ୟରୁ ପରଜା ବଡ଼ପଡ଼ା ପଞ୍ଚାୟତରେ ଅଦ୍ୟାବଧି କିଓସ୍କ ପ୍ଲସ ବ୍ୟାଙ୍କ ଖୋଲା ଯାଇନି। ଫଳରେ ଲୋକେ ହଇରାଣ ହେଉଛନ୍ତି। ବିଡିଓ ଦୁର୍ଗା ପ୍ରସାଦ ଦୋରା ପରଜା ବଡ଼ପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅତିଶୀଘ୍ର କିଓସ୍କ ପ୍ଲସ ବ୍ୟାଙ୍କ ଖୋଲା ଯିବ। ଏନେଇ ଷ୍ଟେଟ୍ ବ୍ୟାଙ୍କ ତରଫରୁ ରାମନାଥ ଖେମୁଣ୍ଡୁ ନାମକ ଯୁବକଙ୍କୁ କିଓସ୍କ ପ୍ଲସ୍ ଖୋଲିବାକୁ ଅନୁମତି ମିଳିଛି। ପଞ୍ଚାୟତ ତରଫରୁ ତାଙ୍କୁ ଗୃହ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି।