Categories: ରାୟଗଡା

ପଞ୍ଚାୟତ ଅଫିସରେ ତାଲା ପକାଇଲେ ହିତାଧିକାରୀ

ଟିକିରି,୧୯।୫(ଡି.ଏନ୍‌.ଏ.): ଟାଇଁ ଟାଇଁ ଖରାରେ ଭତ୍ତା ଟଙ୍କା ପାଇଁ ବୟସ୍କ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି। ହେଲେ ପଞ୍ଚାୟତ ଅଧିକାରୀ ସେମାନଙ୍କୁ ଭତ୍ତା ଦେବା ବଦଳରେ ବିଭିନ୍ନ ଆଳ ଦେଖାଇ ହଇରାଣ କରୁଛନ୍ତି। ରାୟଗଡ଼ା ଜିଲା କାଶୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ବୁଧବାର ହିତାଧିକାରୀମାନେ ଏପରି ଅଭିଯୋଗ କରିଛନ୍ତି। ଉତ୍ତ୍ୟକ୍ତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଛନ୍ତି।
ଟଙ୍କା ଆସିଥିବା ଆଶାରେ ହିତାଧିକାରୀମାନେ ବାରମ୍ବାର ବ୍ୟାଙ୍କ ଏବଂ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ବ୍ୟାଙ୍କ ଖାତା ଯାଞ୍ଚ କରୁଛନ୍ତି। ହେଲେ କାହା ଖାତାରେ ଗୋଟିଏ ମାସର ଟଙ୍କା ଜମା ହୋଇଥିବାବେଳେ ଅନେକ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା ହୋଇ ନ ଥିବା କହିିଛନ୍ତି। ଏ ନେଇ ବୁଧବାର ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରି କାଶୀପୁର ସରପଞ୍ଚ, ଓ୍ବାର୍ଡସଭ୍ୟ ଏବଂ ଭିଏଲ୍‌ଡବ୍ଲ୍ୟୁଙ୍କୁ ଘେରାଉ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) କୁମରସ୍ବାମୀ ତୁରୁକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଶୀଘ୍ର ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତ୍ୟକ୍ତ ଲୋକେ ତାଲା ଖୋଲିଥିଲେ।