ପୁରୁଷୋତ୍ତମପୁର, ୧୫।୧୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବନ୍ୟାର କରାଳ ରୂପରେ ଲୋକେ ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଥିଲେ। ହେଲେ ବିପଦରେ ପଡ଼ିଥିବା ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିଜ ଗାଡ଼ିକୁ ବର୍ଷାରୁ ରକ୍ଷା କରିବାରେ ବ୍ଲକ୍ କର୍ମଚାରୀମାନେ ବ୍ୟସ୍ତ ଥିବା ଅଭିଯୋଗ ହୋଇଥିଲା। ଏବେ ପୁଣି ସରକାରୀ ଭତ୍ତା ପ୍ରଦାନ ନାଁରେ ବୃଦ୍ଧବୃଦ୍ଧାଙ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଭୋକ ଉପାସରେ ବସାଇ ରଖି ହଟହଟା କରିବା ଘଟଣା ପୁରୁଷୋତ୍ତମପୁର ବ୍ଲକ୍ ପ୍ରଶାସନର ମାନବିକତା ଓ କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି।
ଗୋଟିଏ ପଟେ ଜିଲାପାଳ ନିଜେ ଘରକୁ ଘର ବୁଲି ବୟସ୍କଙ୍କ ଆଶୀର୍ବାଦ ନେବା ସହ ସେମାନଙ୍କ ଦୁଃଖ ବୁଝୁଥିବାବେଳେ ଅନ୍ୟପଟେ ବ୍ଲକ୍ କାର୍ଯ୍ୟାଳୟରେ ବୃଦ୍ଧବୃଦ୍ଧାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାପାଳଙ୍କ ମାନବିକତାକୁ ବ୍ଲକ୍ ପ୍ରଶାସନର ଏହା ଚାପୁଡ଼ା ସଦୃଶ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ଶନିବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବାରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ବହୁ ଦୂରଦୂରାନ୍ତରୁ ବୃଦ୍ଧବୃଦ୍ଧାଙ୍କୁ ସକାଳ ୧୧ଟାରୁ ବ୍ଲକ୍ କାର୍ଯ୍ୟାଳୟକୁ ଡକାଯାଇଥିଲା। ଅପରାହ୍ନରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରୀ ଯୋଜନାର ମହତ୍ତ୍ୱ ସମ୍ପର୍କରେ କହିବା ସହ କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଅବଶିଷ୍ଟ ହିତାଧିକାରୀଙ୍କୁ ବ୍ଲକ୍ କର୍ତ୍ତୃପକ୍ଷ ଭତ୍ତା ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇ ଉଭୟ ବିଧାୟକ ଫେରିଯାଇଥିଲେ।
କିନ୍ତୁ ଏହାପରେ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦାୟିତ୍ୱରେ ଥିବା କର୍ମଚାରୀମାନେ ଭତ୍ତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ବୃଦ୍ଧବୃଦ୍ଧାଙ୍କୁ ବସାଇ ରଖି ନିଜ ନିଜ ଘରକୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ରାତି ୧୦ଟା ବିତିଯାଇଥିଲେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଦିନତମାମ ଅପେକ୍ଷା କରିଥିବା ବୟସ୍କ ହିତାଧିକାରୀମାନେ ଭୋକ ଉପାସରେ ଦହଗଞ୍ଜ ହୋଇଥିଲେ।
ଏହି ଘଟଣା ସମ୍ପର୍କରେ ଖବର ପାଇ ତହସିଲଦାର ବିନୋଦ କୁମାର ବେହେରା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବୃଦ୍ଧବୃଦ୍ଧାଙ୍କ ଦୁର୍ଦ୍ଦଶା ଦେଖି ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସମବେଦନା ଜଣାଇଥିଲେ। ପରେ ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଶେଷରେ ବିଡିଓ ଭତ୍ତା ଟଙ୍କା ପ୍ରଦାନ କରିବା ପରେ ବହୁ କଷ୍ଟରେ ନିଜ ନିଜ ଗ୍ରାମକୁ ଫେରିଥିଲେ ଅସହାୟ ବୟସ୍କ ହିତାଧିକାରୀମାନେ।
ତେବେ ପ୍ରଶ୍ନ ଉଠୁଛି, ଯେଉଁ ବୃଦ୍ଧବୃଦ୍ଧାଙ୍କ ଆଶୀର୍ବାଦ ନେଇ ଜିଲାପାଳ ମାନବିକତାର ପରିଚୟ ଦେଉଛନ୍ତି, ସେହି ବୟସ୍କଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ କାହିଁକି ପଡ଼ିଲା? ସରକାରୀ ଯୋଜନାର ଲାଭ ପାଇବା ପାଇଁ ବୟସର ଅପରାହ୍ନରେ ମଧ୍ୟ ସେମାନଙ୍କୁ ଏତେ ଯନ୍ତ୍ରଣା ସହିବାକୁ ପଡ଼ିବ କି? ଏଭଳି ଅବହେଳା ଓ ଦାୟିତ୍ୱହୀନତା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଜିଲାପାଳ, ସରକାର ଓ ବିଧାୟକ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ଦେଇ ସେଠାରୁ ଚାଲିଯାଇଥିଲେ।