ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କେକେଆର୍‌ ଟିମ୍‌କୁ ଝଟ୍‌କା

ଦୁବାଇ, ୭।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍‌ ମିଶ୍ରାଙ୍କ ପରେ ଆଉ ଜଣେ ବୋଲର ଆଇପିଏଲ୍‌ରୁ ବାହାର ହୋଇଛନ୍ତି। ସେ ହେଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଦ୍ରୁତ ବୋଲର ଅଲୀ ଖାନ୍‌। ଆଇପିଏଲ୍‌ରେ ଅଂଶଗ୍ରହଣ କରିବାରେ ଅଲୀ ପ୍ରଥମ ଆମେରିକୀୟ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ପଦାର୍ପଣ କରିବାର ସୁଯୋଗ ପାଇ ନ ଥିଲେ। ଉଲ୍ଲେଖନୀୟ କଥା ହେଉଛି ଜଣେ ବଦଳ ଖେଳାଳି ଭାବେ ଅଲୀ କେକେଆର୍‌ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଅଭ୍ୟାସ ସେସନ୍‌ ଅବସରରେ ଆଘାତପ୍ରାପ୍ତ ହୋଇ ଅଲୀ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବା କେକେଆର୍‌ ପକ୍ଷରୁ ଅଫିଆଲ୍‌ ଭାବେ ବୁଧବାର ଘୋଷଣା କରାଯାଇଛି। କୋଲକାତା ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଚେନ୍ନାଇ ସୁପର୍‌ କିଙ୍ଗସ୍‌କୁ ଭେଟିବାର କାର୍ଯ୍ୟସୂଚୀ ରହିଛି। କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଚମତ୍କାର ପ୍ରଦର୍ଶନ କରି ଅଲୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share