ଅବସର ନେବା ପୂର୍ବରୁ କରୋନାରେ ଆଖିବୁଜିଲେ ପ୍ରଧାନ ଶିକ୍ଷୟିତ୍ରୀ

ପୁରୁଷୋତ୍ତମପୁର, ୨୧।୭(ଡି.ଏନ୍‌.ଏ.): ମହାମାରୀ କରୋନାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ଘଟିଛି। ଏଥିରେ ଏନଏସି ଅନ୍ତର୍ଗତ କନକା ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଟି ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ସେ ଆସନ୍ତା ୩୧ ତାରିଖରେ କାର୍ଯ୍ୟରୁ ଅବସର ନେଇଥାନ୍ତେ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବିଜୟଲକ୍ଷ୍ମୀଙ୍କୁ ଗତ ଦୁଇ ଦିନ ହେଲା ଜ୍ବର ହୋଇଥିଲା। ସେ ଦୋକାନରୁ କିଛି ଔଷଧ ନେଇ ଖାଇଥିଲେ। ମାତ୍ର ମଙ୍ଗଳବାର ଅପରାହ୍ନରେ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହେବାରୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ଡାକ୍ତର ହୃଷିକେଶ ମହନ୍ତ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗୀୟ ଟିମ ଆସି ତାଙ୍କର ସ୍ବାବ ନେଇ ପରିକ୍ଷା କରିଥିଲେ। ଏଥିରେ ସେ କରୋନା ପଜିଟିଭ୍‌ ଥିବାର ନେଇ ସ୍ବାସ୍ଥ୍ୟବିଭାଗ ଜାଣିବାକୁ ପାଇଥିଲେ। ଏହାକୁ ନେଇ ରାତ୍ରରେ ତହସିଲଦାର ଅରୁଣ କୁମାର ନାୟକ , ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ବିଡିଓ ସୀମାଞ୍ଚଳ ମହାନ୍ତି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ମୃତଦେହର ତଦାରଖ କରିବା ସହ ଦାହଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଇବାରେ ଲାଗିଛନ୍ତି। ମୃତ ଶିକ୍ଷୟତ୍ରୀ ଜଣକ ପ୍ରଶାସନ ପକ୍ଷରୁ କରାଯାଇଥିବା ଘରକୁ ଘର ବୁଲି ହେଲଥ ସ୍କ୍ରିନିଂ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇ ଏନ୍‌ଏସି ର ୱାର୍ଡ ନଂ-୧ ରେ କାର୍ଯ୍ୟ ମଧ୍ୟ କରିଥିବା ଜଣାପଡ଼ିଛି।