ବେବିରାଣୀ ହେଲେ ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥା, ପରମ୍ପରା ଓ ଚଳଣିର ପୁନଃ ଅଭ୍ୟାସ ଜରିଆରେ ଓଡ଼ିଆ ସ୍ବାଭିମାନ, ଅସ୍ମିତାକୁ ଅନୁଭବ କରିବା ପାଇଁ ଏକ ଅନନ୍ୟ ଆନ୍ଦୋଳନ ହେଉଛି ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଓ ଓଡ଼ିଆ ମହୋତ୍ସବ’। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବୁଧବାର ସୂଚନା ଭବନଠାରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉତ୍ସବ ଓ ଓଡ଼ିଆ ସ୍ବାଭିମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବାଲେଶ୍ୱରର ବେବିରାଣୀ ଦାସଙ୍କୁ ୨୦୨୨ର ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ଓ ଭୁବନେଶ୍ୱରର ରୀନା ମିଶ୍ରଙ୍କୁ ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି।
ଉଦ୍‌ଘାଟକ ଭାବେ ଓଡ଼ିଶୀ ଗୁରୁ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷା ଡ. ଅରୁଣା ମହାନ୍ତି, ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଅତିଥି ଭାବେ ସଙ୍ଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଦିନଲିପିର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ, କସ୍ତୁରିକା ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ପରିଜା ଏବଂ ୨୦୨୧ର ଶ୍ରେଷ୍ଠ ଓଡିଆଣୀ ରଶ୍ମି ସାହୁ ଯୋଗଦେଇଥିଲେ। ଏହି ଅବସରରେ ସିଦ୍ଧାନ୍ତ ଶତପଥୀ, ଛନ୍ଦା ମିଶ୍ର, ଅର୍ଣ୍ଣବ ପଣ୍ଡା ଓ ପୁଣ୍ୟତା ଦାଶ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।