ସୁନ୍ଦର ହସ୍ତାକ୍ଷର, ସ୍ୱତନ୍ତ୍ର ପରିଚୟ

ଆମ ପିଲାବେଳେ ବିଦ୍ୟାଳୟରେ ପଢୁଥିବା ବେଳେ ଦୁଇଗୋଟି ହସ୍ତାକ୍ଷର ଖାତା ଲେଖୁଥିଲୁ। ପ୍ରଥମଟି ନିଜ ମାତୃଭାଷା ଏବଂ ଦ୍ୱିତୀୟଟି ଇଂରାଜୀ ଭାଷା ଥିଲା। ପ୍ରତ୍ୟେକ ଶ୍ରେଣୀର ପ୍ରଥମ ପିରିୟଡରେ ଶ୍ରେଣୀ ଶିକ୍ଷକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇବା ପରେ ଟେବୁଲ ଉପରେ ଥାକ ଥାକ ହୋଇ ସୁନ୍ଦର ଭାବେ ରଖାଯାଇଥିବା ହସ୍ତାକ୍ଷର ଖାତାଗୁଡ଼ିକୁ ଦେଖନ୍ତି। ଯେଉଁମାନଙ୍କର ଅକ୍ଷର ସୁନ୍ଦର ନ ଥାଏ କିମ୍ବା ଧାଡ଼ି ବଙ୍କା ଥାଏ ଶବ୍ଦକୁ ଶବ୍ଦ ଠିକ୍‌ ଦୂରତ୍ୱ ରହି ନ ଥାଏ, ସେମାନଙ୍କୁ ପାଖକୁ ଡାକି ତାଗିଦ୍‌ କରିବା ସହ ଆବଶ୍ୟକ ପଡ଼ିଲେ ବେତରେ ଦୁଇପାହାର ଦେଇ ବୁଝାଇ କଳାପଟାରେ ଲେଖାଉଥିଲେ। ସବୁଠାରୁ ସୁନ୍ଦର ହସ୍ତାକ୍ଷର ଲେଖାଥିବା ଖାତାଟି ଯେଉଁ ପିଲାମାନଙ୍କର ଥାଏ, ସେମାନଙ୍କୁ ଗୁଡ୍‌ ଲେଖି ଖାତାରେ ଦସ୍ତଖତ କରୁଥିଲେ। ହସ୍ତାକ୍ଷର ବଡ଼ ଆକର୍ଷଣ ଥିଲା, ପ୍ରଥମ ଧାଡିଟିର ଉପଦେଶମୂଳକ କଥା ପ୍ରଚଳିତ ପୁରାଣ ଶାସ୍ତ୍ରାଦିରୁ ଉଦ୍ଧୃୃତ ହୋଇଥିବାରୁ କିମ୍ବା ମହାପୁରୁଷମାନଙ୍କ ନିତିବାଣୀରୁ କିଛି ଆମେ ନିତିଦିନ ହସ୍ତାକ୍ଷର ଲେଖି ସ୍ମରଣ କରୁଥିଲୁ। ଇଂଲିଶ ହସ୍ତାକ୍ଷରରେ ବହୁ ପାଶ୍ଚାତ୍ୟ ଦାର୍ଶନିକଙ୍କ ମହତ୍‌ବାଣୀ ଏବଂ ପ୍ରବଚନ ଥିବା ହସ୍ତାକ୍ଷର ଖାତାଗୁଡ଼ିକ ବଜାରରେ ଉପଲବ୍ଧ ଥିଲା। ଛାତ୍ରୀଛାତ୍ରଙ୍କ ସଂସ୍କାର ଓ ଶୃଙ୍ଖଳା ପାଇଁ ଏହି ସବୁ ମହତ୍‌ବାଣୀଗୁଡ଼ିକ ବେଶ୍‌ ମହତ୍ତ୍ୱ ଥିଲା। କିନ୍ତୁ ଆଜିକାର ପ୍ରାୟ ସରକାରୀ ବେସରକାରୀ ବିଦ୍ୟାଳୟରେ ହସ୍ତାକ୍ଷର ଖାତା ଆଉ ପ୍ରାୟ ପ୍ରଚଳିତ ହେଉ ନାହିଁ। ଏପରି କି ବିଦ୍ୟାଳୟ ଶ୍ରେଣୀ ଶିକ୍ଷକମାନଙ୍କର ଏ ଦିଗରେ ମଧ୍ୟ କୌଣସି ତପତ୍ରତା ନାହିଁ। ପୂର୍ବରୁ ବିଦ୍ୟାଳୟ ଶ୍ରେଣୀ କକ୍ଷ କାନ୍ଥରେ ମହାପୁରୁଷମାନଙ୍କ ନିତିବାଣୀ ଲେଖାଯାଉଥିଲା। ଦୁଃଖର କଥା ଆଜି ପ୍ରାୟ ବିଦ୍ୟାଳୟଗୁଡ଼ିକରେ ଏ ସବୁ ଆଉ ଦୃଶ୍ୟ ହେଉନାହିଁ। ବୌଦ୍ଧିକ ପରିବେଶ ଲୁଚିଯାଉଛି। ଭାରତ ସମ୍ବିଧାନର ଲିଖିତ ମୁଖବନ୍ଧ ଏବଂ ସମସ୍ତ ଧାରା ପ୍ରେମ ବିହାରୀ ନରେନ ରାଇଜଡ଼ା (ସାକ୍ସସେନା)ଙ୍କ ସ୍ବ-ହସ୍ତରେ ଲିଖିତ ହୋଇଅଛି। ଏହା ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ପ୍ରକୋଷ୍ଠରେ ରଖାଯାଇଅଛି ।
ଛାତ୍ରୀଛାତ୍ରମାନଙ୍କ ହସ୍ତାକ୍ଷର ଅଭ୍ୟାସ ଆଜିର ଇଣ୍ଟରନେଟ୍‌ ଯୁଗରେ ପ୍ରାୟ ଆଗ୍ରହ କମିଯାଉଛି। କାର୍ଯ୍ୟାଳୟମାନଙ୍କର ଯେପରି ଚିଠି, ନଥିପତ୍ର, ସେବାପୁସ୍ତିକା ବିବରଣୀ, ଗସ୍ତ ବିବରଣୀ ହାତରେ ଲେଖାଯାଉ ଥିଲା ତାହା ମଧ୍ୟ କମି ଗଲାଣି। ପୂର୍ବରୁ ବିଦ୍ୟାର୍ଥୀମାନେ ପଢୁଥିବା ସମସ୍ତ ବିଷୟର ନିଜ ହସ୍ତଲେଖା ନୋଟ୍‌ ପ୍ରସ୍ତୁତ କରୁଥିଲେ। ସୁନ୍ଦର ଅକ୍ଷର ସାଙ୍ଗକୁ ବିଭିନ୍ନ ରଙ୍ଗର ବିଜ୍ଞାନ, ଭୂଗୋଳ, ସାମାଜିକ ଜ୍ଞାନର ଚିତ୍ରଗୁଡ଼ିକ ବଡ଼ ଆକର୍ଷଣୀୟ ଥିଲା। ବର୍ତ୍ତମାନର ଇଣ୍ଟରନେଟ୍‌ ବହୁଳ ବ୍ୟବହାର ଏ ସବୁ ହସ୍ତଲେଖା କାର୍ଯ୍ୟକୁ ଦୂରେଇ ଦେଉଛି।
ସୁନ୍ଦର ହସ୍ତାକ୍ଷରରୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥାଏ। ଏହା ଏକ ସ୍ବତନ୍ତ୍ର ଦକ୍ଷତା ବୋଲି ଧରାଯାଏ। ଗାନ୍ଧିଜୀଙ୍କ ହସ୍ତାକ୍ଷର ସୁନ୍ଦର ନ ଥିବାରୁ ସେ ଦୁଃଖିତ ଥିଲେ। ବହୁ ବିଦ୍ୟାର୍ଥୀ ଭଲପାଠ ପଢ଼ିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କିଛି ସୁନ୍ଦର ହସ୍ତାକ୍ଷର ନ ଥାଏ। ପରୀକ୍ଷା ମୂଲ୍ୟାଙ୍କନ ସମୟରେ ସୁନ୍ଦର ଅକ୍ଷର ଥିବା ଠିକ୍‌ ଉତ୍ତର ଖାତାଗୁଡ଼ିକ ଶିକ୍ଷକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥିପାଇଁ ଭଲ ମୂଲ୍ୟାଙ୍କନ ଦିଗରେ ମଧ୍ୟ ଶିକ୍ଷକଙ୍କର ବିଶେଷ ଆଗ୍ରହ ରୁହେ। ଠିକ୍‌ ଉତ୍ତର ଲେଖି ମଧ୍ୟ ହସ୍ତାକ୍ଷର ଭଲ ହୋଇ ନ ଥିଲେ କିମ୍ବା ସ୍ପଷ୍ଟ ପଢ଼ି ହୋଇ ନ ଥିଲେ ମୂଲ୍ୟାଙ୍କନରେ କମ୍‌ ନମ୍ବର ପାଇଥାନ୍ତି। ନେପାଳରେ ରହୁଥିବା ପ୍ରକୃତି ମଲ୍ଲା ନାମକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବିଶ୍ୱରେ ସର୍ବଶ୍ରେଷ୍ଠ ସୁନ୍ଦର ହସ୍ତାକ୍ଷର ଭାବେ ୨୦୧୮ରେ ପୁରସ୍କୃତ ହୋଇଥିଲେ। ପୁନର୍ବାର ୨୦୨୨ରେ ନେପାଳସ୍ଥିତ ସଂଯୁକ୍ତ ଆରବ ରାଷ୍ଟ୍ର ଦୂତାବାସ ଛାତ୍ରୀ ପ୍ରକୃତି ମଲ୍ଲାଙ୍କୁ ସୁନ୍ଦର ହସ୍ତାକ୍ଷର ପାଇଁ ‘ସ୍ପିରିଟ୍‌ ଅଫ୍‌ ଦି ୟୁନିୟନ’ ଅବସରରେ ସମ୍ମାନିତ କରାଇଥିଲା। ସେହିପରି ଅନମାନିଆ ବିଜୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଚେମ୍ପରି କନ୍ନରର ନିର୍ମଳ ହାଇୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢୁଥିଲେ। ୨୦୨୧ରେ ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦର ହସ୍ତାକ୍ଷର ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ବାକ୍ୟ ଲେଖିବା ସମୟରେ ସୁନ୍ଦରତା ପାଇଁ କେତେକ ବିଶେଷ କୌଶଳକୁ ଧ୍ୟାନ ଦେବା ଉଚିତ। କେହି କେହି ଅକ୍ଷରଗୁଡ଼ିକୁ ବାମ ଆଡ଼କୁ ଢଳାଇ ଢଳାଇ ଲେଖିବାକୁ ପସନ୍ଦ କରିଥାନ୍ତି। ଅନ୍ୟମାନେ ଡାହାଣ ଆଡ଼କୁ ଢଳାଇ ଢଳାଇ ଲେଖିଥାନ୍ତି। ଏହିପରି ଭିନ୍ନ ଭିନ୍ନ ଆକୃତିରେ ସୁନ୍ଦର ଅକ୍ଷର ଲେଖି ବାକ୍ୟଗୁଡ଼ିକୁ ଆଖି ନ ଫେରିବା ପରି ଆକର୍ଷଣୀୟ କରିଥାନ୍ତି। ପ୍ରାଚୀନ ଶିଳା ଲିପିରେ ବିଭିନ୍ନ ଭାଷାରେ ଶିଳ୍ପୀମାନେ ଲେଖୁଥିଲେ। ଆଜିକାଲି ଇଣ୍ଟରନେଟ୍‌ ଯୁଗରେ ଚିଠି ହଜିଗଲାଣି। ତହସିଲ କାର୍ଯ୍ୟାଳୟର ଜମିପଟ୍ଟା, ଜମି କ୍ରୟ ବିକ୍ରୟ ଦଲିଲ, କେସ୍‌ ଫଏସଲା ବିବରଣୀ ଆଦି ସେମାନଙ୍କର କର୍ମଚାରୀମାନେ ଲେଖୁଥିଲେ। ସେ ଲେଖାଗୁଡ଼ିକ ପ୍ରାୟତଃ କମ୍‌ ବ୍ୟବହାର ହେଉଥିଲା। ବର୍ଷ ବର୍ଷ ଧରି ରହିଲେ ମଧ୍ୟ ଅକ୍ଷର ଲିଭିଯାଉ ନ ଥିଲା। ପୂର୍ବରୁ ଆମମାନଙ୍କ ଜାତକ ତାଳପତ୍ରରେ ଲେଖାଯାଉଥିଲା। ବର୍ତ୍ତମାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସବୁଠାରୁ ମଜ୍ଜାକଥା ହେଲା। ପୂର୍ବରୁ ଗାଁରେ ସାକ୍ଷରତା ହାର କମ୍‌ ଥିଲା। ଅଧିକାଂଶ ପରିବାରର ସଦସ୍ୟମାନେ ଲେଖାପଢ଼ା ଜାଣି ନ ଥିଲେ। ଗାଁରେ ଯେଉଁ କେତେଜଣ ପାଠ ପଢୁଆ ପୁଅ, ଝିଅ, ବୋହୂ ଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସୁନ୍ଦର ହସ୍ତାକ୍ଷର ଥିଲା ସେମାନଙ୍କୁ ଚିଠି ଲେଖିବା ପାଇଁ ବଡ଼ ଡାକରା ଥିଲା। ସୁନ୍ଦର ହାତଲେଖା ଚିଠିଟିର ଯେଉଁ ଆକର୍ଷଣ ଓ ଆତ୍ମୀୟତା ଥିଲା, ଆଜିର ଇ-ଚିଠିରେ ବା ମୋବାଇଲ୍‌ ମେସେଜରରେ ମିଳିବ କେଉଁଠୁ। ହାତଲେଖା ଚିଠିର କେତେ ମାନ ଅଭିମାନ, ସୁଖଦୁଃଖର ସ୍ମୃତିଗୁଡ଼ିକ କାଳକାଳ ଜୀବନ୍ତ କରି ମହକୁ ଥାଏ।
ଲକ୍ଷ୍ୟ କରାଯାଏ, ପ୍ରାୟ ସତୁରି ପ୍ରତିଶତ ଡାକ୍ତରଙ୍କର ଔଷଧ ଚିଠାରେ ଖରାପ ଅକ୍ଷର ଲେଖନ୍ତି। ଏହା କି ପ୍ରକାର ଅଭ୍ୟାସ ବୁଝିବା କଷ୍ଟକର। ତେବେ ଦୁଃଖର ବିଷୟ ପିଲାମାନଙ୍କର ପଠନ ଲିଖନ ବକ୍ତୃତା ଓ ଧୈର୍ଯ୍ୟ ଶକ୍ତିର ଦକ୍ଷତା କମିଯାଉଛି। ଛାତ୍ରୀଛାତ୍ରମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରତିଯୋଗିତା ଓ କୌଶଳ ଶିକ୍ଷା ଦିଆଯିବା ପାଇଁ ଅଭିଭାବକ ଓ କର୍ତ୍ତୃପକ୍ଷ ଗୁରୁତ୍ୱ ଦିଅନ୍ତୁ।

– ସୁଧୀର କୁମାର ନାୟକ
ମୋ:୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri