ଡୋକରୀଚଞ୍ଚରାର ହେବ ସୌନ୍ଦର୍ଯ୍ୟକରଣ, ପ୍ରତିଶ୍ରୁତି ଦେଲେ ୫-ଟି ସଚିବ

କୋକସରା,୨୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗସ୍ତରେ ଆସି ଶନିବାର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିରରେ ମଧ୍ୟାହ୍ନରେ ପହଞ୍ଚି ପ୍ରଥମେ ଆରାଧ୍ୟ ଦେବ ବୁଢ଼ାରଜାଙ୍କ ଦର୍ଶନ ଲାଭ କରି ମଞ୍ଚକୁ ଯାଇଥିଲେ। ମିଶନ ଶକ୍ତି ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଚିବଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶହ ଶହ ଲୋକ ସଚିବଙ୍କୁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ସମସ୍ତଙ୍କ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ୫-ଟି ସଚିବ। ମଞ୍ଚରେ ଜୟ ବୁଢ଼ାରଜା କହି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ବୁଢ଼ାରଜା ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରି ରାଜ୍ୟର ଅନ୍ୟ ଧାର୍ମିକ ସ୍ଥଳୀ ଭଳି ସୁନ୍ଦର ରୂପରେଖ ଦିଆଯିବ ବୋଲି କହିଛନ୍ତି ଓ ଆମପାଣିରେ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ପରେ ବିଜୁ ଏକ୍ସପ୍ରେସ ଓ୍ବେ ଦେଇ ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ପହଞ୍ଚିବା ପରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରଓ୍ବାଲ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଓ ଖଲିଗଡ଼ ଗ୍ରାମର ମହିଳାମାନେ ସଚିବଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀରାମ ମନ୍ଦିର ଦର୍ଶନ କରିବା ପରେ ମଞ୍ଚରେ ଲୋକଙ୍କୁ ସମ୍ବୋଧନ କରି ଓଡିଶାର ମାନଚିତ୍ରରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାର ରୂପରେଖର ସୌନ୍ଦର୍ଯ୍ୟକରଣ କରି ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ସଚିବ । ସେ ଧର୍ମଗଡ଼ ଉପ ଜିଲାପାଳଥିବା ବେଳେ ଧର୍ମଗଡ଼ କଳାହାଣ୍ଡି ଉତ୍ସବ ବେଳେ ମଞ୍ଚକୁ ଗୁଡ଼ହାଣ୍ଡିର ରୂପରେଖ ଦେଇଥିବା ମନେ ପକାଇଥିଲେ। ପରେ ଧର୍ମଗଡ଼ ବ୍ଲକ ଅଭିମୁଖେ ବାହାରିଥିଲେ। ୫-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସଚିବଙ୍କ ସହ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ, କଳାହାଣ୍ଡି ଜିଲା ପରିଷଦ ଉନ୍ନୟନ ଅଧିକାରୀ ପାଓ୍ବାର ସଚିନ ପ୍ରକାଶ, ଧର୍ମଗଡ଼ ଉପଜଲାପାଳ ବେଦ ଭୂଷଣ, ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର, ଡିଏଫ୍‌ଓ ଦୟାନନ୍ଦ ଗଜାନନ ଲାଡେ, କୋକସରା ବିଡିଓ ଉତ୍ତମ ବାଗ, କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।