ଅପହରଣକାରୀ ଭାବି ପୋଲିସକୁ ନିସ୍ତୁକ ମାଡ଼

ତିଗିରିଆ,୨।୧୨(ଡି. ଏନ୍‌. ଏ.):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଗୁରୁବାର ସାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଏକ ନାବାଳିକା ଅପହରଣ ମାମଲାରେ ଅପହରଣକାରୀ ନାବାଳକଙ୍କୁ ଠାବ କରିବାକୁ ସାଦା ପୋଷାକରେ ଆସିଥିବା ଢ଼େଙ୍କାନାଳ ସଦର ପୋଲିସ କର୍ମଚାରୀଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଆକ୍ରମଣରେ ଆହତ ଜଣେ ପୋଲିସଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଆସିଥିବା କାର୍‌କୁ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଆଠଗଡ ଏସ୍‌ଡିପିଓ ବିଜୟ ବିଶି, କାନପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ, ତିଗିରିଆ ଥାନା ଅଧିକାରୀ ଜେନା, ଏଏସ୍‌ଆଇ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଖବର ଲେଖା ହେଲା ପର୍ଯ୍ୟନ୍ତ ତିଗିରିଆ ଥାନାରେ କୌଣସି ଏତଲା ହୋଇ ନ ଥିବା ଜଣାପଡ଼ିଛି।
ମିଳିଥିବା ଖବର ଅନୁଯାୟୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମର ଜୈନୈକ ନାବାଳିକାଙ୍କୁ ଗତ ୧୭ତାରିଖରେ ଜଣେ ଭିନ୍ନ ସମ୍ପ୍ରଦାୟର ନାବାଳକ ଅପହରଣ କରି ନେଇ ଯାଇଥିବା ଢେଙ୍କାନାଳ ସଦର ଥାନାରେ ଅଭିଯୋଗ ହୋଇଥିଲା। ଅପହରଣ କରିଥିବା ନାବାଳକଙ୍କ ମାଉସୀ ଘର ତିଗିରିଆ ଥାନା ପଙ୍କାଳ ଗ୍ରାମ ହୋଇଥିବାରୁ ଢେଙ୍କାନାଳ ସଦର ପୋଲିସ ବାରମ୍ବାର ପଙ୍କାଳ ଆସି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଗୁରୁବାର ଅପରାହ୍ନ ୫ ଟାରେ ପଙ୍କାଳ ଗ୍ରାମର ଜଗୁ ଖାଁ ନାମକ ଯୁବକ ନୂଆପାଟଣା ଦୁର୍ଗା ବଜାରର ଏକ ଫାଷ୍ଟ ଫୁଡ଼ ଦୋକାନରୁ ଖାଦ୍ୟ ଆଣିବାକୁ ଯାଇଥିଲେ। ଏହି ସମୟରେ ସାଦା ପୋଷାକରେ ଆସିଥିବା ଢେଙ୍କାନାଳ ପୋଲିସର ଏକ ୫ଜଣିଆ ଟିମ୍‌ ଜଗୁଙ୍କୁ ଜବରଦସ୍ତ ଏକ କାର (ନମ୍ବର ଓଡି୦୨-ବିଏଚ୍‌-୯୮୧୬)ରେ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଜଗୁ ପାଟି କରିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ସାଦା ପୋଷାକରେ ଥିବା ପୋଲିସ କର୍ମଚାରୀଙ୍କୁ ଅପହରଣକାରୀ ଭାବି ନିସ୍ତୁକ ମାଡ଼ ମାରିଥିଲେ। ତେବେ ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସାଦା ପୋଷାକରେ ଥିବା ପୋଲିସ ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ନିଜ ରିଭଲବଲରରୁ ଏକ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଉତ୍‌କ୍ଷୀପ୍ତ ହୋଇ ସେଠୀଙ୍କ ଠାରୁ ବନ୍ଧୁୁକ ଛଡ଼ାଇ ନେବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଏସ୍‌ଆଇ ସେଠୀଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତିଗିରିଆ ପୋଲିସ ଉଦ୍ଧାର କରି ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ବଡ ଡାକ୍ତଖାନା ସ୍ଥାନାନ୍ତର କରିଛି। ସୂଚନା ଯୋଗ୍ୟ ଢେଙ୍କାନାଳ ପୋଲିସ ବାରମ୍ବାର ଏହି ଘଟଣାରେ ତିଗିରିଆ ଅଞ୍ଚଳକୁ ଚଢ଼ାଉ ପାଇଁ ଆସୁଥିଲେ ସୁଦ୍ଧା ସ୍ଥାନୀୟ ପୋଲିସର ସହାୟତା ନେଇ ନ ଥିବା ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ପ୍ରକାଶ କରିଛନ୍ତି। ଏସ୍‌ଆଇ ସେଠୀଙ୍କ ରିଭଲବଲରକୁ ତିଗିରିଆ ପୋଲିସ ରାତିରେ ସ୍ଥାନୀୟ ଲୋକଙ୍କ ଠାରୁ ଉଦ୍ଧାର କରିଥିବା ଜଣାପଡ଼ିଛି।