ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ମାଡ଼, ଭିଡିଓ ଭାଇରାଲ୍‌

ଦଶରଥପୁର,୧୮ା୧୨(ଡି.ଏନ୍‌.ଏ.): ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଧୀନ କସପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କୁ ଗୁରୁବାର ଅପରାହ୍ନରେ ବିଚ୍‌ରାସ୍ତାରେ ଆକ୍ରମଣ କରାଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଯାଜପୁର ଟାଉନ ଥାନା ପୋଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମୁଞ୍ଜର ହେବା ପରେ ସେମାନଙ୍କୁ ଯାଜପୁର ଜେଲ୍‌କୁ ପଠାଇ ଦିଆଯାଇଛି।

ମଙ୍ଗଳପୁର ଥାନା ଖୋସାଲପୁର ଗ୍ରାମର ଦେବଦତ୍ତ ଦାସ ଓ ଛଞ୍ଚିଣା ଘଡ଼େଇ ସାହିର ସନ୍ତୋଷ କୁମାର ମହାନ୍ତିଙ୍କ ସମେତ ୮ ଯୁବକ ଯାଜପୁର-ମଙ୍ଗଳପୁର ରାସ୍ତାର ରାମବାଗ୍‌ ହାଇସ୍କୁଲ ସମ୍ମୁଖରେ ପୂର୍ବତନ ସରପଞ୍ଚ ସାହୁଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ସାହୁ ଚିତ୍କାର କରିବାରୁ ସ୍ଥାନୀୟ ହାଇସ୍କୁଲ ଛକରେ ଉପସ୍ଥିତ କିଛି ସାଧାରଣ ଜନତାଙ୍କ ସମେତ ବ୍ୟବସାୟୀ ପହଞ୍ଚତ୍ ଆକ୍ରମଣକାରୀ ଯୁବକଙ୍କୁ ଅଟକାଇଥିଲେ। ତଥାପି ସମ୍ପୃକ୍ତ ଯୁବକମାନେ ସାହୁଙ୍କୁ ବେଲ୍ଟରେ ବାଡ଼ାଇବା ସହିତ ମୁଥ ଏବଂ ଗୋଇଠା ମାରିଥିଲେ। ଏଥିସହିତ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଶେଷରେ ସ୍ଥାନୀୟ ଲୋକେ ସଂଘବଦ୍ଧ ହୋଇ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତର ସାହୁଙ୍କୁ ଏକ ଅଟୋରେ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସାହୁଙ୍କ ପୁଅ ଏନେଇ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ.୪୬୦/୨୨ରେ ଏକ ମାମଲା ରୁଜୁ କରିଛି। ସୂଚନାଥାଉ କି, ସାହୁଙ୍କ ଗ୍ରାମ ଖୋସାଲପୁର ସମେତ ନିକଟବର୍ତ୍ତୀ ତରପଦା ପଞ୍ଚାୟତରେ ରାଜନୈତିକ ଉଷ୍ମତା ଲାଗି ରହିଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏଭଳି ହିଂସା ଦେଖିବାକୁ ମିଳିଛି। ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସେମାନେ ଜାମିନରେ ଆସିଥିଲେ ବୋଲି ଜଣାପଡ଼ିଛି।