ମହିଳା ସରପଞ୍ଚଙ୍କୁ ମାଡ଼ : ଭିଡିଓ ଭାଇରାଲ

ପରଜଙ୍ଗ,୨୭।୬(ଡି.ଏନ୍‌.ଏ.): ସର୍ବ ସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ। ଗତ ବର୍ଷ କୋଭିଡ୍‌ ସମୟରେ ରନ୍ଧା ଖାଦ୍ୟ ଲୋକମାନଙ୍କୁ ଦିଆଯାଇଥିଲା। ଏହାର ଫାଇଲ ନ ଦେବାରୁ ଏମିତି ଘଟିଛି। ଏପରିକି ମହିଳା ସରପଞ୍ଚ କାଖରେ ପିଲାକୁ ଧରିଥିବା ବେଳେ ତାଙ୍କ ଘୋଷାରି ମାଡ଼ ମରାଯାଉଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହିଳା ସରପଞ୍ଚ ରେଣୁବାଳା ପଳେଇଙ୍କୁ କଙ୍କିଳି ଗ୍ରାମର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଘୋଷାଡ଼ି ସଂଘବଦ୍ଧ ଆକ୍ରମଣକରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଆକ୍ରମଣକାରୀମାନେ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, କରୋନା ପ୍ରଥମ ଲହର ସମୟରେ ସରକାରଙ୍କ ତରଫରୁ ବିଭିନ୍ନ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିଲା । ସେହିପରି କଙ୍କିଳି ପଞ୍ଚାୟତରେ ମଧ୍ୟ ଏକ ମହିଳା ଗୋଷ୍ଠୀକୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରିବାକୁ ଦାୟିତ୍ୱ ଦିଆଯାଇଥିଲା ।  କିନ୍ତୁ ଯେଉଁ ମହିଳା ଗୋଷ୍ଠୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସେହି ଗୋଷ୍ଠୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନ ଥିବା ଅଭିଯୋଗ କରି ସରପଞ୍ଚଙ୍କୁ ବାରମ୍ବାର ପଇସା ମାଗିଆସୁଥିଲେ ଟଙ୍କା ପାଇବାରୁ ବଞ୍ଚିତ ହେବାରୁ ସୋମବାର ଅପରାହ୍ନରେ ଉକ୍ତ ମହିଳା ଗୋଷ୍ଠୀର ସମ୍ପାଦିକା ଲତାଙ୍ଗିନୀ ସାହୁ ଓ କେତେକ ଲୋକ ସରପଞ୍ଚଙ୍କ ଘରକୁ ଯାଇ କରୋନା ସମୟରେ ଦିଆଯାଇଥିବା ଖାଦ୍ୟ ବିଲ୍‌ ଫାଇଲ ମାଗିଥିଲେ। ସେମାନଙ୍କ ପାଖରେ ଫାଇଲ ନାହିଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆସିଲେ ବିଲ ଓ ଅନ୍ୟାନ୍ୟ ଖାଦ୍ୟ ଖର୍ଚ୍ଚର ଫାଇଲ ଦେବାକୁ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ହାତାହାତି ହେବା ସହ ମାଡିପିଟ ହୋଇଥିଲା ।l ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।