ଚାଇନାକୁ ଲମ୍ବିଛି ଭାଲୁ ର଼୍ୟାକେଟ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧାର ପିତାପଲ୍ଲୀ-ଗଙ୍ଗପଡ଼ା ରାସ୍ତା ପାର୍ଶ୍ୱସ୍ଥ ଭୁଆସୁୁଣୀ ମନ୍ଦିର ନିକଟରୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗତ ଗୁରୁବାର ୫ଟି ଭାଲୁଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଉକ୍ତ ଦିନ ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧାରୁ ୨ଟି ଭାଲୁଛୁଆକୁ ଉଦ୍ଧାର କରାଯାଇଥିଲା। ସମସ୍ତ ଭାଲୁଛୁଆକୁ ନନ୍ଦନକାନନକୁୁ ପଠାଇ ଦିଆଯାଇଥିଲା। ତେବେ ଗୋଟିଏ ଦିନରେ ଚନ୍ଦକା ଜଙ୍ଗଲରୁ ୭ଟି ଭାଲୁଛୁଆ ଖସି ଆସିବାକୁ ନେଇ ନାନା ଚର୍ଚ୍ଚା ଚାଲିିଛି। ଏଥିରେ ଏକ ର଼୍ୟାକେଟ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି। ଏପରି କି ଏହି ର଼୍ୟାକେଟର ଚେର ଚାଇନାକୁ ଲମ୍ବିଥିବା କୁହାଯାଉଛି। ଅନ୍ୟପଟେ ପ୍ରିନ୍ସିପ୍ରାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ(ପିସିସିଏଫ) ଏହାର ତଦନ୍ତ ପାଇଁ ରିଜିଓନାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ (ଆରସିସିଏଫ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍‌ ସଂକ୍ରମଣ ଲାଗି ରାଜ୍ୟରେ ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ଜାରି ରହିଛି। ଏଥିସହ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ିି କରାଯାଇଛି। କୌଣସି ସ୍ଥାନରୁ ଭାଲୁ ଛୁଆକୁ ଧରି ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଚାଲାଣ ଲାଗି ଯୋଜନା କରିଥିବା ବେଳେ ଧରାପଡିଯିବା ଭୟରେ ଭାଲୁଛୁଆକୁ ପିତାପଲ୍ଲୀ ରାସ୍ତାକଡରେ ଛାଡି ଚାଲିଯାଇଥିବା ସନ୍ଦେହ ଉପୁଜୁଛି। ଉଦ୍ଧାର ଭାଲୁଛୁଆ ମଧ୍ୟରେ ୨ଟି ବଡ ଏବଂ ୩ଟି ଶିଶୁ ରହିଥିଲେ। ସେମାନଙ୍କ ପାଖରେ ମା’ ଭାଲୁ ନ ଥିବା ଏବଂ ସମସ୍ତ ଭାଲୁଛୁଆ ରାସ୍ତା ଉପରେ ଖେଳୁଥିବା ଦେଖିବାକୁ ମିଳିଥିଲା। କେତେଜଣ ପରିବେଶବିତ୍‌ଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଭାଲୁର ପିତ୍ତ ଚାହିଦା ରହିଛି। ଚାଇନାରେ ଏହାର ବହୁଳ ବ୍ୟବହାର କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଭାଲୁଛୁଆର ପିତ୍ତକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ତେବେ ଭାଲୁଛୁଆକୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଜଙ୍ଗଲରୁୁ ସଂଗ୍ରହ କରାଯାଇ ଓଡ଼ିଶା ସୀମାନ୍ତ ଝାଡଖଣ୍ଡ, ପଶ୍ଚିମବଙ୍ଗ ତଥା ଚାଇନା ସୀମାନ୍ତବର୍ତ୍ତୀ ଅଞ୍ଚଳ ଅରୁଣାଚଳ ପ୍ରଦେଶ ଦେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ପିତାପଲୀ ରାସ୍ତାକୁ ଭାଲଛୁଆ ଚୋରାଚାଲାଣର ଗଳା ବାଟ ଭାବେ ବ୍ୟବହାର କରାଯାଉଛି। ପୂର୍ବରୁ ବାଘଛାଲ, ବଜ୍ରକାପ୍ତା ଏବଂ ସାପ ବିଷକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି ଲାଗି ଚୋରାଚାଲାଣ ବେଳେ ଧରାପଡିଛି। ବାଘଛାଲ ର଼୍ୟାକେଟକୁ ବନ ବିଭାଗ ଧରିବାରେ ସଫଳ ହୋଇପାରିନାହିଁ। ବନ ବିଭାଗ ଅବହେଳାରୁ ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି। ଏହି ଘଟଣାର ଯାଞ୍ଚ ଲାଗି କ୍ରାଇମବାଞ୍ଚ ଏସ୍‌ଟିଏଫ୍‌କୁ ଦିଆଯାଉ ବୋଲି ପରିବେଶପ୍ରେମୀମାନେ ଦାବି କରିଛନ୍ତି।