ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଅପରାହ୍ନରେ ପୁଣି କିଛି ବଡ଼ ବଡ଼ ଘର ସମୁଦ୍ରରେ ଭାଙ୍ଗି ଲୀନ ହୋଇଯାଇଥିବା ବେଳେ ଏହି ଭୟାବହ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୋଡ଼ମପେଟା ଗାଁର ପ୍ରାୟ ୭୫ ପ୍ରତିଶତ ଅଂଶ ଇତିମଧ୍ୟରେ ସମୁଦ୍ର ଗର୍ଭରେ ବିଲୀନ ହୋଇସାରିଛି। ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିବା ବେଳେ ଏହାକୁ ଲାଗି ରହିଥିବା ଆଉ ୧୨ ଖଣ୍ଡ ଗାଁ ମଧ୍ୟ ଏବେ ତୀବ୍ର ସମୁଦ୍ର କୂଳ କ୍ଷୟ ଯୋଗୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ସଂଗୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ ଆଖପାଖ ଅଞ୍ଚଳର ୬ଖଣ୍ଡ ଗ୍ରାମର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ଗ୍ରାମବାସୀମାନେ ତୁରନ୍ତ ସମୁଦ୍ର କୂଳରେ ପଥର ବନ୍ଧ ଓ ସିମେଣ୍ଟ କଂକ୍ରିଟ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଦାବି କରିଛନ୍ତି। ଏଥିରେ ବିଳମ୍ବ ହେଲେ କେବଳ ପୋଡମପେଟା ନୁହେଁ ବରଂ ଆଖପାଖର ଅନେକ ଗ୍ରାମ ସମୁଦ୍ର ଗର୍ଭରେ ହଜିଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପଟେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହି ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖିଛନ୍ତି। ସ୍ଥାୟୀ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପକୁ ତୁରନ୍ତ ଅନୁମୋଦନ କରିବାକୁ ସେ ଦାବି କରିଛନ୍ତି। ପାଳିବନ୍ଧ ପଞ୍ଚାୟତର ୯ଟି ଓ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମ ସହ ପ୍ରସିଦ୍ଧ ବଟେଶ୍ୱର ପୀଠ ମଧ୍ୟ ସମୁଦ୍ର କୂଳ କ୍ଷୟ ଯୋଗୁ ବିପଦରେ ଥିବା ସେ ଉଲ୍ଲେଖ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳ ଭି. କୀର୍ତ୍ତୀ ଭାସନ କହିଛନ୍ତି, ଏକ ବୈଷୟିକ ଟିମ ଓ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରିବେ। ସେମାନଙ୍କ ରିପୋର୍ଟ ଆଧାରରେ ଡିପିଆର ପ୍ରସ୍ତୁତ କରାଯିବ ଏବଂ ଆବଶ୍ୟକତା ଅନୁଯାୟୀ ସେଠାରେ ସ୍ଥାୟୀ ସମୁଦ୍ର କୂଳ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ବିପଦପୂର୍ଣ୍ଣ ସ୍ଥାନକୁ ସିଲ କରିଛି। ସମୁଦ୍ରର ଅ ସ୍ବାଭାବିକ ଅଗ୍ରଗତି ଯୋଗୁଁ ଉକ୍ତ ସ୍ଥାନ ଅତ୍ୟନ୍ତ ବିପଦଜନକ ପାଲଟିଥିବାରୁ ଜନସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଦିନତମାମ କାର୍ଯ୍ୟ କରି ବିପଦପୂର୍ଣ୍ଣ ସ୍ଥାନରେ ମାଟି ପକାଇ ପ୍ରବେଶପଥକୁ ସିଲ କରାଯାଇଛି। ଫଳରେ ସେହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆର୍‌ଆଇ ସୀତାରାମ ସାହୁ, ଅମିନ ଲାଲକୃଷ୍ଣ ଦାସ, ହୁମା ଫାଣ୍ଡି ଇଞ୍ଚାର୍ଜ ବିନୟ ଦାସ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।

Dharitri – Odisha’s No.1 Odia Daily

Share