ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ ପଡ଼ିଥିଲା ମହାତ୍ମାଙ୍କ ପାଦ। ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ବାପୁ ଯାଇଥିଲେ ଢେଙ୍କାନାଳ ଅଭିମୁଖେ। ସେହି ଘଟଣାକୁ ଚିର ସ୍ମରଣୀୟ କରିବାକୁ ଗାନ୍ଧୀ ମାର୍ଗ ପାର୍ଶ୍ୱରେ ଗାନ୍ଧୀ ଭବନଟିଏ ପାଇଁ ଦୀର୍ଘ ୭ ବର୍ଷ ହେଲା ହେଉଛି ଦାବି। ୨୦୧୪ରେ ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ ଉଠାଇଥିବା ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇ ଆସିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି। ପ୍ରଶାସନକୁ ବାରମ୍ବାର ଅନୁରୋଧ, ସତ୍ୟାଗ୍ରହ ଯାଏ ଯାଇଥିଲେ ମଧ୍ୟ ଏଯାଏ ମିଳିନି ଜାଗା।
୧୯୩୪ରେ ଝାରସୁଗୁଡ଼ାରୁ କଟକ ଯିବା ରାସ୍ତାରେ ଅନୁଗୋଳର ବାମୁରଠାରେ ମେ ୬ ତାରିଖରେ ଅଟକିଥିଲେ ମହାତ୍ମା। ସେଠାରେ ରାତ୍ରି ଯାପନ ପରେ ୭ ତାରିଖରେ ପହଞ୍ଚିଥିଲେ ରାଣୀଗୁଡ଼ା ଆମ୍ବତୋଟା ତଥା ବର୍ତ୍ତମାନର ଗାନ୍ଧୀମାର୍ଗ ନିକଟ ଶିମିଳିପଡ଼ାଠାରେ। ଅସଂଖ୍ୟ ଜନସମାଗମ ଦେଖି ସେଠାକାର ସାଧାରଣ ସଭାରେ ଉଦ୍‌ବୋଧନ ରଖିଥିଲେ ଗାନ୍ଧିଜୀ। ଉଚ୍ଚ-ନୀଚ ଭେଦଭାବ ଦୂର କରିବା ସହ ସମାଜକୁ ନିଶାମୁକ୍ତ ନିମନ୍ତେ ସେ ଆହ୍ବାନ ଦେଇଥିଲେ। ଖଦି ଓ କୁଟୀର ଶିଳ୍ପ କରି ଆତ୍ମନିର୍ଭର ହେବାକୁ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଅନୁଗୋଳରୁ ବଅଁରପାଳ ଦେଇ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଥିଲେ। ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ତଥା ବର୍ତ୍ତମାନର ଶିମିଳିପଡ଼ା ଦେଇ ଗାନ୍ଧୀ ଯାଇଥିବା ରାସ୍ତାକୁ ପ୍ରଶାସନ ଗାନ୍ଧୀ ମାର୍ଗ ଭାବେ ନାମିତ କରିଛି। ସେଠାରେ ଫଳକ ଲଗାଇଛି। କିନ୍ତୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୋଜନାରେ ଅଟକିଯାଇଛି। ତେବେ ୨୦୧୪ରେ ବାଜି ରାଉତ ଛାତ୍ରାବାସ ଆସିଥିବା ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାନ୍ଧୀ ଭବନ ନିର୍ମାଣ ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ। ଏହାପରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ତତ୍କାଳୀନ ନଗରପାଳ ଅକ୍ଷୟ ସାମନ୍ତଙ୍କ ନିକଟରେ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଗାନ୍ଧୀମାର୍ଗ ଠାରେ ଜାଗା ମିଳିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଦୀର୍ଘବର୍ଷ ପରେ ଆଇନଗତ ପ୍ରକ୍ରିୟା ପାଳନ କରା ନ ଯାଇ ଗାନ୍ଧୀ ମାର୍ଗର ଏକ ସ୍ଥାନରେ ଗାନ୍ଧୀ ଭବନ ଫଳକ ମାରିଦିଆଯାଇଥିଲା। ଭବନ ନିର୍ମାଣ ପାଇଁ ସର୍ବୋଦୟ ନେତ୍ରୀ ବାରମ୍ବାର ଜିଲା ପ୍ରଶାସନକୁ ଅନୁରୋଧ ରଖିଥିଲେ। କିଛିଦିନ ତଳେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଓ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପରିବର୍ତ୍ତେ ଫଳକ ହଟାଯାଇ ଉକ୍ତ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯିବା ଗାନ୍ଧୀପ୍ରେମୀଙ୍କୁ ଚକିତ କରିଥିଲା। ଏହାର ପ୍ରତିବାଦରେ ଗାନ୍ଧୀ ସ୍ମାରକୀ ନିଧି ପକ୍ଷରୁ ସର୍ବୋଦୟ ନେତ୍ରୀ ଗାନ୍ଧୀ ଜୟନ୍ତୀରୁ ସତ୍ୟାଗ୍ରହରେ ବସିଥିଲେ। ତେବେ ତୃତୀୟ ଦିନରେ ପ୍ରଶାସନ ଗାନ୍ଧୀ ସ୍ମୃତି ଓ ଗାନ୍ଧୀ ଭବନ ନିର୍ମାଣ ପାଇଁ ହେଉଥିବା ଦାବିର ଉଦ୍ଦେଶ୍ୟ ବୁଝିପାରିଛି ବୋଲି ଗାନ୍ଧୀପ୍ରେମୀମାନେ ପ୍ରକାଶ କରିଛନ୍ତି।
ମତ ବଦଳିବା ବିବ୍ରତ କରାଇଥିଲା
ଗାନ୍ଧୀ ଭବନ ନିର୍ମାଣ ପାଇଁ ୭ ବର୍ଷ ହେଲା ଦାବି କରାଯାଉଥିଲା। ଏଥିପାଇଁ ପୌରପାଳିକା ପକ୍ଷରୁ ଏକ ଜାଗା ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରଶାସନ ମତ ପରିବର୍ତ୍ତନ କରି ଉକ୍ତ ଜାଗାରୁ ଗାନ୍ଧୀ ଭବନ ଫଳକ ହଟାଇ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ କରିବା ଘଟଣା ଅତ୍ୟନ୍ତ ବିବ୍ରତ କରିଦେଇଥିଲା। ଏହାର ପ୍ରତିବାଦରେ ସତ୍ୟାଗ୍ରହ ଆରମ୍ଭ କରାଯାଇଥିଲା।
-କୃଷ୍ଣା ମହାନ୍ତି, ସର୍ବୋଦୟ ନେତ୍ରୀ
ଚଳିତ ସପ୍ତାହରେ ମାପଚୁପ
ଗାନ୍ଧୀମାର୍ଗର ଉନ୍ନତୀକରଣ ନିମନ୍ତେ ବହୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କୋଭିଡ୍‌ କାରଣରୁ ଏହା ବିଳମ୍ବିତ ହୋଇଚାଲିଛି। ତେବେ ଉକ୍ତ କାର୍ଯ୍ୟ ଆରମ୍ଭ ପୂର୍ବରୁ ଚଳିତ ସପ୍ତାହରେ ମାପଚୁପ ଆରମ୍ଭ ହେବ। ଜବରଦଖଲ ଉଚ୍ଛେଦ ପରେ ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଅନୁଗୋଳ ଜିଲା ସହ ଗାନ୍ଧୀଙ୍କ ସ୍ମୃତିକୁ ସ୍ମରଣୀୟ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ନିର୍ଦ୍ଦିଷ୍ଟ ସମୟରେ ଶେଷ ହେଉ
ଗାନ୍ଧୀ ଭବନ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବା ଆବଶ୍ୟକ। ଗାନ୍ଧୀଙ୍କ ନୀତି ଆଦର୍ଶ ସହ ଜଡ଼ିତ ପ୍ରତିଟି କାର୍ଯ୍ୟକ୍ରମ କିପରି ସେଠାରେ ହୋଇପାରିବ, ସେ ନେଇ ବ୍ୟବସ୍ଥା ରଖାଯାଉ। ଜିଲା ପ୍ରଶାସନ ଏହାର ପରିଚାଳନା କରୁ। ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ କର୍ପୋରେଟ୍‌ ସଂସ୍ଥାକୁ ପ୍ରଦାନ କରାଯିବା ଦରକାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ଜିଲା ସଂସ୍କୃତି ପରିଷଦ ସଦସ୍ୟ
ସ୍ମୃତି ଚିହ୍ନ ହୋଇ ରହୁ
ଅନୁଗୋଳ ସହରସ୍ଥିତ ଗାନ୍ଧୀ ମାର୍ଗରେ ଏହି ଗାନ୍ଧୀ ଭବନ ନିର୍ମାଣ କରାଯାଉ। ଏହାକୁ ପ୍ରଶାସନ ପରିଚାଳନା କରୁ। ଏହା ଏଭଳି ହେବା ଆବଶ୍ୟକ, ଯେଉଁଥିରୁ ଲୋକମାନେ ଯୁଗ ଯୁଗ ଧରି ଗାନ୍ଧୀଙ୍କ ସ୍ମୃତି ସାଉଣ୍ଟି ପାରିବେ। ଗାନ୍ଧୀଙ୍କ ସହ ଅନୁଗୋଳର ସ୍ମୃତିକୁ ଲୋକ ଲୋଚନକୁ ଆଣିବାର ତୁରନ୍ତ ବ୍ୟବସ୍ଥା କରାଯାଉ।
-ଡ.ଇନ୍ଦିରା ଦାଶ, ବୁଦ୍ଧିଜୀବୀ
ବାଣୀ ଅଧ୍ୟୟନ ସୁଯୋଗ ରହୁ
ଗାନ୍ଧୀମାର୍ଗ ଏକ ଐତିହାସିକ ରାସ୍ତା ହୋଇଥିବାରୁ ସେଠାରେ ଗାନ୍ଧୀ ଭବନ ନିର୍ମାଣ କରାଯାଉ। ଉକ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ଶୀଘ୍ର ଶେଷହେଉ। ଗାନ୍ଧୀ ଭବନରେ ପାଦ ଦେଉଥିବା ଲୋକ ଯେପରି ଗାନ୍ଧୀଙ୍କ ବାଣୀ ଅଧ୍ୟୟନ କରିପାରୁଥିବେ ସେଭଳି ସୁଯୋଗ ଏଠାରେ ବ୍ୟବସ୍ଥା କରାଯାଉ।
-ପ୍ରଫେସର ଶାନ୍ତନୁ କୁମାର ସର, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri