ସାବଧାନ! ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର,୪ା୯(ସତ୍ୟଜିତ୍‌ ରାଉତ): ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍‌ ନୋଟ୍‌। ସାରା ରାଜ୍ୟକୁ ବ୍ୟାପିଛି ଏହି ର଼୍ୟାକେଟର ଚେର। ବାରମ୍ବାର ଚଢ଼ାଉ ଓ ବିପୁଳ ଜାଲ୍‌ ନୋଟ୍‌ ଜବତ ହେଉଥିଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ ହୋଇପାରୁନାହିଁ। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ସୋନପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଘାଇ ଗ୍ରାମରେ ଚଢ଼ାଉ କରି ଏକ ଘରୁ ୪୧.୧୬ ଲକ୍ଷର ଜାଲ୍‌ ନୋଟ୍‌ ଜବତ କରିଛି। ଜବତ ଜାଲ୍‌ ନୋଟ୍‌ରେ କେବଳ ୫୦୦ ଟଙ୍କିଆ ରହିଛି। ତେବେ ଚଢ଼ାଉବେଳେ ଏସ୍‌ଟିଏଫ୍‌ ଟିମ୍‌ ସମ୍ପୃକ୍ତ ଅଭିଯୁକ୍ତ ଦୀପକ ମେହେରଙ୍କୁ ଧରିଥିବାବେଳେ ତାଙ୍କ ବଡ଼ଭାଇ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧରାପଡିଥିବା ଦୀପକଙ୍କୁ ଗିରଫ ପରେ ଶନିବାର ବୀରମହାରାଜପୁର ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏନେଇ ଏସ୍‌ଟିଏଫ୍‌ ଏକ ମାମଲା (ନଂ.୧୮/୨୦୨୩) ରୁଜୁ କରି ତଦନ୍ତ ଚଳାଇଛି। ଦୀପକଙ୍କୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ଏହି ମାମଲାରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଯୋଜନା କରିଛି। ଜବତ ଜାଲ ନୋଟ୍‌ ଉତ୍ତମମାନର ହୋଇଥିବାବେଳେ ଅବିକଳ ଅସଲି ନୋଟ୍‌ ଭଳି ଦିଶୁଛି। ତେଣୁ ଏହାକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ପଶ୍ଚିମମେଦିନପୁରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକ ଓ ତାଙ୍କ ଭାଇ ଲୁଗାବୁଣା କାମ କରନ୍ତି। ଲୁଗା ପ୍ରସ୍ତୁତ ପରେ ତାହାକୁ ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ବିକ୍ରି କରନ୍ତି। ଦୁଇ ଭାଇଙ୍କ ପାଖରେ ବିପୁଳ ପରିମାଣର ଜାଲ ନୋଟ୍‌ ଥିବା ଜଣାପଡ଼ିବା ପରେ ଶୁକ୍ରବାର ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଘରେ ଚଢ଼ାଉ କରି ଦୀପକଙ୍କୁ କାବୁ କରିବା ପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ଦୁଇ ଭାଇ ରାୟପୁର ଓ ମହାସମୁନ୍ଦ ଅଞ୍ଚଳରୁ ଏହି ଜାଲ ନୋଟ୍‌ ଆଣିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଉଭୟ ମୂଲଚାଲ କରି ଉକ୍ତ ଜାଲ ନୋଟ କାରବାର କରନ୍ତି। କାହାକୁ ୧୦ ହଜାରରେ ତ ଆଉ କାହାକୁ ୨୦ହଜାର ଟଙ୍କାରେ ଏକ ଲକ୍ଷ ଜାଲ୍‌ ନୋଟ୍‌ ଦିଅନ୍ତି। ବହୁଦିନ ହେବ ଏହି ଦୁଇଭାଇ ଏଭଳି କାରବାର କରୁଥିବା ଅଭିଯୁକ୍ତ ଦୀପକ ସ୍ବୀକାର କରିଛନ୍ତି। ବଡ଼ କଥା ହେଉଛି ଅଭିଯୁକ୍ତଙ୍କ ନାମରେ ଏସ୍‌ଟିଏଫ୍‌ ୟୁଏପିଏ (ଅନ୍‌ ଲ’ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନଶନ୍‌ ଆକ୍ଟ) ଲଗାଇବ। ଭାରତର ଅଖଣ୍ଡତା ଓ ସାର୍ବଭୌମତା କ୍ଷୁର୍ଣ୍ଣ କରିବା ଭଳି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଏହି ଆକ୍ଟ ଲାଗିଥାଏ। ତେବେ ଫରାର ଥିବା ଦୀପକଙ୍କ ବଡ଼ଭାଇ ଓ ଏହି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।